
ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟରେ ୩ ଆୟୁର୍ବେଦ ମହାବିଦ୍ୟାଳୟକୁ ନାମଲେଖା ଅନୁମତି ମିଳିଛି। ଜାତୀୟ ଭାରତୀୟ ଚିକିତ୍ସା ପଦ୍ଧତି ଆୟୋଗ (ଏନ୍ସିଆଇଏସ୍ଏମ୍), ମେଡିକାଲ ଆସେସମେଣ୍ଟ ଆଣ୍ଡ୍ ରେଟିଂ ବୋର୍ଡ ପକ୍ଷରୁ ନାମଲେଖା ଓ ଶିକ୍ଷାଦାନ ଜାରି ରଖିବାକୁ ବାର୍ଷିକ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ସମସ୍ତ ମାନଦଣ୍ଡ ପୂରଣ କରାଯିବା ନିମନ୍ତେ ସତ୍ୟପାଠ ଦାଖଲ କରାଯାଇଛି।
ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଗଞ୍ଜାମ ଅଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟ ଏବଂ ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟକୁ ନାମଲେଖା ନିମନ୍ତେ ଅନୁମତି ମିଳିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ବିଏଏମଏସ୍ରେ ୫୭ ଆସନ ଏବଂ ୫ଟି ବିଭାଗରେ ୧୫ଟି ପିଜି ଆସନ, ଅଙ୍କୁଶପୁରସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ବିଏଏମ୍ଏସ୍ରେ ୭୫ଟି ଆସନ ଏବଂ ଶଲ୍ୟ ତନ୍ତ୍ରରେ ୪ଟି ପିଜି ଆସନ ପାଇଁ ଅନୁମତି ମିଳିଛି। ସେହିପରି, ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ବିଏଏମ୍ଏସ୍ରେ ୭୫ଟି ଆସନ ଏବଂ ୨ଟି ବିଭାଗରେ ୮ଟି ପିଜି ଆସନକୁ ଏନ୍ସିଆଇଏସ୍ଏମ୍ ମୋହର ମାରିଛି। ନାମଲେଖା ନିମନ୍ତେ ମାନଦଣ୍ଡର ଅଭାବ ରହିଥିଲା। ଏନ୍ସିଆଇଏସ୍ଏମ୍ ପକ୍ଷରୁ କରାଯାଇଥିବା ମୂଲ୍ୟାୟନରେ ଶିକ୍ଷକ, ଅଣଶିକ୍ଷକ ଓ ହସ୍ପିଟାଲ କର୍ମଚାରୀ ଏବଂ ଭିତ୍ତିଭୂମି ସମ୍ପର୍କିତ ଆଦି ଅଭାବ ଥିବା ଜଣାପଡ଼ିଥିଲା। ଏହାପରେ ଶୁଣାଣି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣି ପ୍ରକ୍ରିୟାରେ ଆୟୁଷ ନିର୍ଦେଶାଳୟ ନିର୍ଦେଶକ ଏବଂ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ସରକାରଙ୍କ ପକ୍ଷରୁ ଭାଗ ନେଇଥିଲେ। ଆସନ୍ତା ଜାନୁଆରୀ ୩୧ ମଧ୍ୟରେ ସମସ୍ତ ମାନଦଣ୍ଡକୁ ପୂରଣ କରିବାକୁ ସତ୍ୟପାଠ ଦାଖଲ କରାଯିବା ପରେ ନାମଲେଖା ନିମନ୍ତେ ଅନୁମତି ପ୍ରଦାନ କରିଛି।
ଏହାଦ୍ବାରା ୨୦୨୬-୨୭ ବର୍ଷରେ ସରକାରୀ ଆୟୁର୍ବେଦ ଶିକ୍ଷାର ସୁଯୋଗ ଜାରି ରହିବ ଏବଂ ବିଏଏମ୍ଏସ ଏବଂ ପିଜିରେ ଆୟୁର୍ବେଦ ଶିକ୍ଷାର ସୁଯୋଗ ଅବ୍ୟାହତ ରହିବ। ତିନିଟି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶିକ୍ଷା ଓ ନାମଲେଖା ଜାରି ରହିବା ରାଜ୍ୟର ଆୟୁଷ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଭବିଷ୍ୟତରେ ଅଧିକ ସଂଖ୍ୟକ ପ୍ରଶିକ୍ଷିତ ଆୟୁର୍ବେଦ ଚିକିତ୍ସକ ସୃଷ୍ଟିରେ ସହାୟକ ହୋଇପାରିବ। ଆୟୁଷ କ୍ଷେତ୍ରରେ ଏହି ସକାରତ୍ମକ ପଦକ୍ଷେପ ପାଇ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।




