
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଗୁଣାତ୍ମକ ଓ ସମାବେଶୀ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ନିର୍ମାଣର ଅଗ୍ରଗତି, ଯୋଜନାର କାର୍ଯ୍ୟାନୟନ ଓ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।
ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଏନ୍ ତିରୁମାଲା ନାଏକ ଉପସ୍ଥିତ ଥିଲେ।ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ରାଜ୍ୟସ୍ତରୀୟ ପରିଚାଳନା କମିଟିର ଭୂମିକା, ଦାୟିତ୍ୱ, ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ନିରୀକ୍ଷଣ ଓ ତଦାରଖ ପାଇଁ ଗଠିତ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ସେଲ୍ର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥାପନା କରିଥିଲେ । ବୈଠକରେ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ, ନିୟମିତ ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକତା ଅନୁଯାୟୀ ନୀତିଗତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟନ୍ୱୟନକାରୀ ସଂସ୍ଥାମାନଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ନିର୍ମାଣ କାର୍ଯରେ କେତେ ଅଗ୍ରଗତି ହୋଇଛି ସେ ସଂପର୍କରେ ସମୀକ୍ଷା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି, ସମୁଦାୟ ୩୨୨ଟି ବିଦ୍ୟାଳୟ ନିର୍ମାଣ ଏହି ଯୋଜନାରେ ସାମିଲ ହୋଇଛି । ବୈଠକରେ ମୁଖ୍ୟ ସଚିବ ବିଭିନ୍ନ ନିର୍ମାଣକାରୀ ସଂସ୍ଥାମାନଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଯୋଜନା କାର୍ଯ୍ୟକାରିତାକୁ ଅଧିକ ସଫଳ କରିବା ପାଇଁ ବିଦ୍ୟାଳୟ ଚୟନ ଓ ଭିତ୍ତିଭୂମି ସମ୍ବନ୍ଧୀୟ କେତେକ ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । କେତେକ ସ୍ଥାନରେ ଜମିର ଆକାର, ଓସାର ଓ ଭୂମିର ଆକୃତି ଅନୁଯାୟୀ ପୂର୍ବରୁ ଅନୁମୋଦିତ ବର୍ଗାକାର ବିଲ୍ଡିଂ ପ୍ଲାନ୍ କାଯ୍ୟକାରୀ କରିବା ସମ୍ଭବ ହେଉନଥିବାରୁ ଆୟତାକାର ପ୍ଲାନ୍ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଯୋଜନାର କାର୍ଯ୍ୟନ୍ୱୟନ, ନିରୀକ୍ଷଣ ଓ ଗୁଣାତ୍ମକ ତଦାରଖକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସେଲ୍ରେ ଟେକ୍ନିକାଲ୍ ଓ ଏକାଡେମିକ୍ ଏବଂ ପ୍ରଶାସନିକ ତଥା ଅର୍ଥ ଏବଂ ମାନବ ସମ୍ବଳ ନିୟୋଜନ ଉପରେ ଆଲୋଚନା ହୋଇଛି । ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବିତ ବିଦ୍ୟାଳୟର ନିକଟସ୍ଥ ସରକାରୀ/ବେସରକାରୀ ଜମି ଅଧିଗ୍ରହଣ କରିବା ଏବଂ କେବଳ ପଞ୍ଚାୟତ ମୁଖ୍ୟାଳୟରେ ଏହି ବିଦ୍ୟାଳୟ ସ୍ଥାପନ ସୀମିତ ନରଖି, ସେଠାରେ ଜମି ଉପଲବ୍ଧ ନଥିଲେ ପଞ୍ଚାୟତର ସର୍ବାଧିକ ଜନବସତି ଥିବା ସ୍ଥାନରେ ବିଦ୍ୟାଳୟ ସ୍ଥାପନ ପାଇଁ ଗାଇଡଲାଇନ ସଂଶୋଧନ ପ୍ରସ୍ତାବ ଦିଆଯାଇଛି ।




