
ରାଇକିଆ: ପ୍ରତିଭାର ସଫଳତାର ଆଉ ଏକ ଅଧ୍ୟାୟ ଯୋଡ଼ିଛି ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ବିଦ୍ୟାଳୟର ୩ଜଣ ମେଧାବୀ ଛାତ୍ର ଭୁବନେଶ୍ୱରସ୍ଥିତ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ମନୋନୀତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି କୃତିତ୍ୱ ହାସଲ କରିଥିବା ଛାତ୍ରମାନେ ହେଲେ ସ୍ନେହାଶିଷ ପଣ୍ଡା, ଶୁଭ୍ରଜିତ ପ୍ରଧାନ ଓ ଆଶୁତୋଷ ମଲ୍ଲିକ।ରାଜ୍ୟସ୍ତରରେ ଶିକ୍ଷା କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି ଏହି ୩ ଛାତ୍ର ରାଇକିଆ ବ୍ଲକ ସମେତ କନ୍ଧମାଳ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ସାଧାରଣ ଶିକ୍ଷାନୁଷ୍ଠାନରୁ ରାଜ୍ୟର ଏକ ପ୍ରତିଷ୍ଠିତ ଆବାସିକ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ମିଳିବା ଛାତ୍ରମାନଙ୍କ ଭବିଷ୍ୟତ ଗଢ଼ିବାରେ ଏକ ନୂଆ ଦିଗ ଖୋଲିଛି।
ଛାତ୍ରମାନଙ୍କ ଏହି ସଫଳତା ପଛରେ ସେମାନଙ୍କ କଠିନ ପରିଶ୍ରମ ସହ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ଓ ଅଭିଭାବକଙ୍କ ସହଯୋଗ ରହିଛି। ନିୟମିତ ପାଠପଢ଼ା ସହ ଶିକ୍ଷକମାନଙ୍କ ପରାମର୍ଶକୁ ଅନୁସରଣ କରି ଛାତ୍ରମାନେ ଏହି ସଫଳତା ହାସଲ କରିଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।ଏହି ସଫଳତାରେ ବିଦ୍ୟାଳୟ ରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଅଧ୍ୟକ୍ଷ ଅମିୟ କୁମାର ମହାପାତ୍ର ମନୋନୀତ ତିନି ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସେମାନେ ଶିକ୍ଷା କ୍ଷେତ୍ରରେ ଆହୁରି ସଫଳତା ହାସଲ କରି ରାଇକିଆର ନାମ ଉଜ୍ଜ୍ୱଳ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




