
ଭୁବନେଶ୍ୱର: ଆଜି ରାଖୀ ପୂର୍ଣ୍ଣିମା ଅବସରରେ ମିଳିବ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି । ଏଥର ନୟାଗଡ଼ରେ ରାଜ୍ୟସ୍ତରୀୟ ଉତ୍ସବରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ । ଏଥିପାଇଁ ନୟାଗଡ଼ ବ୍ଲକ୍ ଲାଠିପଡ଼ା ଗ୍ରାମ ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ ସମ୍ମିଳନୀର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀର ଉଦ୍ଘାଟନ କରିବେ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମହିଳାମାନଙ୍କୁ ଉଦ୍ବୋଧନ ଦେବେ ।
ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ୧୧ଟା ୧୫ରେ ହେଲିକପ୍ଟରରେ ଆସି ପହଞ୍ଚିବେ । ୧୧ଟା ୨୫ରେ ସଭା ଆରମ୍ଭ ହୋଇ ୧ଟା ୧୦ରେ ଶେଷ ହେବ । ସାଢ଼େ ଗୋଟାଏରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି । ପଞ୍ଚମ କିସ୍ତିରେ ମୋଟ ୧.୦୩ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ମିଳିଛି । ତନ୍ମଧ୍ୟରେ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀ ଅଛନ୍ତି । ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯିବ । ଯେଉଁମାନଙ୍କର ପୂର୍ବରୁ ଏକ ବା ଏକାଧିକ କିସ୍ତି ବାକି ଅଛି, କ୍ଷେତ୍ର ଯାଞ୍ଚ ପରେ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ । ୫ମ କିସ୍ତିର ମାସକ ପରେ ବଞ୍ଚିତ ହିତାଧିକାରୀଙ୍କୁ ଟଙ୍କା ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।




