
ବରଗଡ଼: ନେପାଳର ପ୍ରଳୟଙ୍କରୀ ବନ୍ୟା ଭିତରେ ଫସି ଆଉ ୩ ଓଡ଼ିଆ ନିଖୋଜ ଥିବା ଖବର ଆସିଛି। ବରଗଡ଼ ଜିଲ୍ଲା ଜାମପାଲି ଗାଁର ଦମ୍ପତି ଓ ସେମାନଙ୍କ ୨ ବର୍ଷର ଶିଶୁ କନ୍ୟାଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ସୂଚନା ମିଳିଛି।ନିଖୋଜ ଦମ୍ପତି ହେଲେ ଗୁନ୍ନମ ଜୟକ୍ରିଷ୍ଣା ଓ ଗୁନ୍ନମ ସାଇ ବିନ୍ଦୁ କୁମାରୀ। ସେମାନଙ୍କ ସହ ତାଙ୍କ ୨ ବର୍ଷର ଝିଅ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଜୟକ୍ରିଷ୍ଣା ନେପାଳର ଏକ ହାଇଡ୍ରୋ ପ୍ରୋଜେକ୍ଟରେ ଚାକିରି କରୁଥିବା ବେଳେ ପରିବାର ସହ ସେଠାରେ ରହୁଥିଲେ।ନେପାଳରେ ଭୟଙ୍କର ବନ୍ୟା ଓ ବର୍ଷା ପରେ ଏହି ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ବରଗଡ଼ରେ ଥିବା ପରିବାର ଓ ସମ୍ପର୍କୀୟ। ନିଖୋଜ ପରିବାରର ସନ୍ଧାନ ପାଇଁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ଖୋଜାଖୋଜି ଚାଲିଥିବା ସୂଚନା ମିଳିଛି।
ଏହି ଘଟଣା ପରେ ନେପାଳ ବନ୍ୟାରେ ନିଖୋଜ ଓଡ଼ିଆଙ୍କ ସଂଖ୍ୟା୫କୁ ବୃଦ୍ଧି ପାଇଥିବାସୂଚନା ମିଳିଛି। ଦମ୍ପତି ଓ ତାଙ୍କ ଛୋଟ ଶିଶୁ ନିଖୋଜ ହେବା ଖବର ବରଗଡ଼ରେ ଚିନ୍ତାର ବାତାବରଣ ସୃଷ୍ଟି କରିଛି। ପରିବାର ଲୋକେ ନିଖୋଜ ତିନିଜଣଙ୍କ ସୁରକ୍ଷିତ ଫେରିବାକୁ ଆଶା କରୁଛନ୍ତି।




