
ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ସମେତ ପୁଲିସ ଡିଜି-ଆଇଜି ସମ୍ମିଳନୀ-୨୦୨୫ରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକର ଅଗ୍ରଗତିର ସମୀକ୍ଷା ପାଇଁ ଆସନ୍ତା ଶନିବାର(୨୯ତାରିଖ) ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସମେତ ଅନ୍ତରୀଣ ପୁଲିସ ଡିଜି ବିନୟତୋଷ ମିଶ୍ର ଓ ଅନ୍ୟ ବରିଷ୍ଠ ଆଇପିଏସ୍ ଅଫିସରମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି।
ରାଜ୍ୟ ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ ଡିଜି-ଆଇଜି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିରୁ ଏପର୍ଯ୍ୟନ୍ତ ଓଡ଼ିଶା କେତେ ପାଳନ କରିଛି ତା’ର ସମୀକ୍ଷା ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଉପସ୍ଥିତିରେ ରାଜ୍ୟ ପୁଲିସର ବରିଷ୍ଠ ଅଫିସରମାନେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଦେବେ। ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ୨୯ତାରିଖ ଦିନ ୧୧ଟାରୁ ପ୍ରାୟ ୩ଘଣ୍ଟା ଧରି ଏହି ସମୀକ୍ଷା ବୈଠକ ବସିବ ବୋଲି ସୂଚନା ମିଳିଛି।
ଏହି ବୈଠକରେ ପୁଲିସ ଡିଜି ଶ୍ରୀ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ଉପରେ ସୂଚନା ଦେବା ପରେ ଦିନ ୧୧ଟା ୧୫ରୁ ପ୍ରାୟ ୧ଟା ପର୍ଯ୍ୟନ୍ତ କ୍ରାଇମବ୍ରାଂଚ, ଗୁଇନ୍ଦା, ଆଣ୍ଟି ନକ୍ସଲ ଅପରେସନ, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗରେ ସମ୍ପୃକ୍ତ ୱିଙ୍ଗର ମୁଖ୍ୟମାନେ ସ୍ୱତନ୍ତ୍ର ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ସଫଳତା ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେବେ।
ଏହି ସମୀକ୍ଷା ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ମୁଖ୍ୟ ସଚିବ ଅନୁ ଗର୍ଗ ମଧ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଓ ପଦକ୍ଷେପ ସମ୍ପର୍କରେ ସୂଚନା ଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବୈଠକ ପରେ ଉପସ୍ଥିତ ପୁଲିସ ଅଫିସରମାନଙ୍କୁ ନିଜର ମତାମତ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।
ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ବା ସମୀକ୍ଷା ବୈଠକରେ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କୁ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ବରିଷ୍ଠ ଆଇପିଏସ୍ ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ, ଅରୁଣ ବୋଥ୍ରା, ସଞ୍ଜୟ କୁମାର, ରାଜେଶ କୁମାର, ପୁଲିସ କମିଶନର ଡକ୍ଟର ସୁରେଶ ଦେବଦତ୍ତ ସିଂହ, ଯତୀନ୍ଦ୍ର କୋୟଲ ଓ ଏସ୍ ସାଇନିଙ୍କ ସମେତ ବିଭିନ୍ନ ରେଞ୍ଜ ଆଇଜି ଓ କଟକ-ଭୁବନେଶ୍ୱର ପୁଲିସ ଡିସିପି ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ୨୦୨୫ ମସିହାର ପୁଲିସ ଡିଜି-ଆଇଜି ସମ୍ମିଳନୀର ପ୍ରମୁଖ ସୁପାରିଶଗୁଡ଼ିକ ମଧ୍ୟରେ ନୂଆ ଅପରାଧିକ ଆଇନ (ବିଏନଏସ, ବଏନଏନଏସ୍, ବିଏସଏ)ର ପୂର୍ଣ୍ଣ କାର୍ଯ୍ୟକାରିତା, ବାମପନ୍ଥୀ ଉଗ୍ରବାଦର ମୂଳୋତ୍ପାଟନ, ନିଶା କାରବାର ବିରୋଧରେ ଜିରୋ ଟଲରାନ୍ସ ଆଭିମୁଖ୍ୟ, ଏଆଇ ଓ ସାଇବର ଅପରାଧ ରୋକିବା ସହ ଉପକୂଳ ସୁରକ୍ଷା ଓ ସ୍ମାର୍ଟ ପୁଲିସିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ସାମିଲ ରହିଥିଲା।




