
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ ହୋଇଛି । ବଡ଼ ବର୍ଷାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର କରିଛନ୍ତି । କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ସହ ଜିଲ୍ଲାପାଳଙ୍କୁ ସତର୍କ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ଓଡ଼ିଶାର ନଦୀ ବିପଦ ସଂକେତ ତଳେ ଥିବାବେଳେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ସହ ରାସ୍ତାରେ ପାଣି ଜମିଲେ ଅଟକିଥିବା ଯାତ୍ରୀ ପାଇଁ ଭୋଜନର ବ୍ୟବସ୍ଥା ହେବ ବୋଲି କହିଛନ୍ତି, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରୁଛି । ସକାଳ ୮.୩୦ ମିନିଟ ସମୟରେ ଅକ୍ଷାଂଶ ୧୭.୯° ଉତ୍ତର ଏବଂ ଦ୍ରାଘିମା ୮୬.୦° ପୂର୍ବ ନିକଟରେ କେନ୍ଦ୍ରୀଭୂତ ହୋଇଛି । ଏହା ଗୋପାଳପୁରର ଦକ୍ଷିଣ-ପୂର୍ବରେ ପ୍ରାୟ ୨୦୦ କିମି, କଳିଙ୍ଗପଟ୍ଟନମର ପୂର୍ବ-ଦକ୍ଷିଣପୂର୍ବରେ ୨୦୦ କିମି, ପୁରୀର ଦକ୍ଷିଣରେ ୨୧୦ କିମି ଏବଂ ବିଶାଖାପାଟଣାର ପୂର୍ବରେ ୨୯୦ କିମି ଦୂରରେ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରେ ପରିଣତ ହେବାର ବହୁ ସମ୍ଭାବନା ରହିଛି । କ୍ରମାଗତ ଭାବେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଏହା ଏକ ଗଭୀର ଅବପାତ ରୂପେ ୨୩ ତାରିଖ ରାତିରୁ ୨୪ ସେପ୍ଟେମ୍ବର ସକାଳ ମଧ୍ୟରେ ବିଶାଖାପାଟଣା ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୨ ତାରିଖରେ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ୨୩ ଏବଂ ୨୪ରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଏହା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବିଚ୍ଛିନ୍ନ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୨୫ ରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୨୬ ରେ ରାଜ୍ୟର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ଓ ୨୪ ତାରିଖ ପାଇଁ କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଯେଉଁଥିରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୨୪ ଓ ୨୫ ତାରିଖ ପାଇଁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ୟାନାମ୍ ଉପକୂଳରେ ଏବଂ ଉପକୂଳ ସଂଲଗ୍ନ ସମୁଦ୍ରରେ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବା ଆରମ୍ଭ ହୋଇଯାଇଛି । ୨୨ ତାରିଖ ସନ୍ଧ୍ୟାରୁ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦-୬୦ କିମି ଏବଂ ଝଟକା ପବନର ବେଗ ୭୦ କିମି ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି । ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୨୨ ତାରିଖ ସନ୍ଧ୍ୟାରୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦-୬୦ କିମିରୁ ଝଟକା ୭୦ କିମି ଏବଂ ୨୩ ରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଆହୁରି ବୃଦ୍ଧି ପାଇ ଘଣ୍ଟାପ୍ରତି ୫୫-୬୫ କିମିରୁ ଝଟକା ୭୫ କିମି ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି । ସମୁଦ୍ର ସ୍ଥିତି ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ଅଛି । ମତ୍ସ୍ୟଜୀବୀଙ୍କୁ ୨୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ-କେନ୍ଦ୍ରୀୟ, ସଂଲଗ୍ନ ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ଋଷିକୂଲ୍ୟା ନଦୀ ସୋରଡ଼ାରେ ବିପଦ ସଙ୍କେତ ୮୧.୯୯ ମିଟର ଥିବାବେଳେ ୭୬.୮୩ ମିଟର ପ୍ରବାହିତ ହେଉଛି । ମାଧବରିଡ଼ାରେ ବିପଦ ସଙ୍କେତ ୬୦.୬୫ ମିଟର ଥିବାବେଳେ ୫୫.୯୪ ମିଟର ପ୍ରବାହିତ ହେଉଛି । ପୁରୁଷୋତ୍ତମପୁରରେ ବିପଦ ସଙ୍କେତ ୧୬.୮ ମିଟର ଥିବାବେଳେ ୧୨.୧୮ ମିଟରରେ ପ୍ରବାହିତ ହେଉଛି । ବଂଶଧାରା ନଦୀ ଗୁଣୁପୁରରେ ବିପଦ ସଙ୍କେତ ୮୪.୦୦ ମିଟର ଥିବାବେଳେ ୮୦.୯୩ ମିଟର ପ୍ରବାହିତ ହେଉଛି । କାଶୀନଗରରେ ବିପଦ ସଙ୍କେତ ୫୪.୬୦ ମିଟର ଥିବାବେଳେ ୫୨.୯୩ ମିଟରରେ ବର୍ତ୍ତମାନ ପ୍ରବାହିତ ହେଉଛି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜଳାଶୟ ଗୁଡ଼ିକରେ ଉପଲବ୍ଧ ଜଳ ଧାରଣ କ୍ଷମତା ମଧ୍ୟରୁ ଉପର ଇନ୍ଦ୍ରାବତୀରେ ୮୩.୬%, ଉପର କୋଲାବରେ ୫୪.୫%, ବାଲିମେଳାରେ ୪୪.୪% ଏବଂ ମାଛକୁଣ୍ଡରେ ୬୩.୮% ରହିଛି ।







