
ଦେବଗଡ଼:ଜିଲ୍ଲା ଭୂମିହୀନ ସଂଗ୍ରାମୀ ପରିଷଦ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ। ପରିଷଦର ସଭାପତି କୁମାର ଯାତ୍ରାମା ମୁଣ୍ଡାଙ୍କ ନେତୃତ୍ବରେ ପରିଷଦର ବହୁ ସଦସ୍ୟ ଧାରଣାରେ ସାମିଲ ହୋଇ ନିଜର ମତ ରଖିଥିଲେ। ସୂଚନା ଅନୁଯାୟୀ, ଜଙ୍ଗଲ ଜମି ସ୍ବୀକୃତି ଶିରୋନାମା ପାଇଥିବା ଜମି ପଟ୍ଟା ଗୁଡିକ ଜିଲ୍ଲାରେ ଅନଲାଇନରେ ସଂଯୋଗ କରାଯାଉ, ଜଙ୍ଗଲ ଜମି ସ୍ବୀକୃତି ଶିରୋନାମା ପାଇଥିବା ବ୍ୟକ୍ତିକୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦିଆଯିବା ସହ ପ୍ୟାକ୍ସରେ ଚାଷୀ ସଭ୍ୟ ପାଇଁ ଅନୁମତି ଦିଆଯାଉ, ଜଙ୍ଗଲ ଜମିରେ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ଦେଇ ଜମି ତିଆରି ଏବଂ ଉନ୍ନତିକରଣ,ବନ୍ଧ ଖନନ, ମାଛ ଚାଷ ଓ ଫଳ ବଗିଚା କରାଯାଉ, ବନ ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରାଯାଉ, ଜିଲ୍ଲାରେ ରେସିଡେଣ୍ଟ,ଜାତିଗତ ,ଇନକମ ସାର୍ଟିଫିକେଟ ବାହାର କରିବା ପାଇଁ ଜଙ୍ଗଲ ଜମି ସ୍ବୀକୃତି ଶିରୋନାମା ପଟ୍ଟାର ପରିଚାଳନା,ଜଙ୍ଗଲ ଜମିକୁ ଦେବଗଡ ଜିଲ୍ଲାରେ ମାନ୍ୟତା ତଥା ବିଭିନ୍ନ ଦାବି ପୂରଣ କରିବା ପାଇଁ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏନେଇ ପରିଷଦ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଆଜି ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଦାବି ଗୁଡିକ ପୂରଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।







