
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ବ୍ଲକ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳିତ ହୋଇଯାଇଛି। ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁସଂଖ୍ୟକ ବରିଷ୍ଠ ନାଗରିକ ଏଥିରେ ଯୋଗଦେଇଥିଲେ। ସମାଜ ଗଠନରେ ବରିଷ୍ଠ ନାଗରିକଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା, ଅଧିକାର ଓ କଲ୍ୟାଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନେ ପରିବାର ଓ ସମାଜର ମାର୍ଗଦର୍ଶକ ବୋଲି କହିଥିଲେ। ସେମାନଙ୍କ ସେବା, ଯତ୍ନ ଓ ଅଧିକାର ସୁରକ୍ଷିତ ରଖିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ।ବ୍ଲକ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ଓ ସୁବିଧା ଯେପରି ସେମାନଙ୍କ ନିକଟରେ ସୁରୁଖୁରୁରେ ପହଞ୍ଚିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା କହିଥିଲେ। ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର ବରିଷ୍ଠ ନାଗରିକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଅନୁଭୂତି ଓ ଜୀବନ ଅନୁଭବରୁ ଯୁବପିଢ଼ି ଶିକ୍ଷା ଲାଭ କରିବା ଆବଶ୍ୟକ ବୋଲି କହିଥିଲେ।ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ବାର୍ଦ୍ଧକ୍ୟ ଭତ୍ତା, ଏମ୍ବିପିୱାଇ/ଆଇଜିଏନ୍ଓଏପିଏସ୍ ଓ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ବରିଷ୍ଠ ନାଗରିକଙ୍କୁ ଅବଗତ କରାଇଥିଲେ। ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ ପଞ୍ଚାୟତ ସ୍ତରରେ ବରିଷ୍ଠ ନାଗରିକଙ୍କ ସୁବିଧା ଓ ଅସୁବିଧା ପ୍ରତି ଗ୍ରାମବାସୀ ତଥା ଯୁବପିଢ଼ି ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ।ଦିବସ ଅବସରରେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ବରିଷ୍ଠ ନାଗରିକଙ୍କ ରକ୍ତଚାପ, ରକ୍ତଶର୍କରା ଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକ ଔଷଧ ମାଗଣାରେ ପ୍ରଦାନ କରାଯାଇଥିଲା। ସୁସ୍ଥ ଜୀବନଶୈଳୀ ପାଇଁ ସହଜ ଯୋଗାସନ, ପ୍ରାଣାୟାମ, ସନ୍ତୁଳିତ ଖାଦ୍ୟ ଓ ନିୟମିତ ଜୀବନଚର୍ଯ୍ୟା ଉପରେ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ।
ଏହାସହ ପରିବେଶ ସୁରକ୍ଷା ଓ ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବ୍ଲକ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଅତିଥି ଓ ବରିଷ୍ଠ ନାଗରିକମାନେ ଏଥିରେ ଅଂଶଗ୍ରହଣ କରି ବିଭିନ୍ନ ବୃକ୍ଷରୋପଣ କରିଥିଲେ।
କାର୍ଯ୍ୟକ୍ରମରେ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଓ ଡାକ୍ତରୀ ଦଳଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବରିଷ୍ଠ ନାଗରିକ ଓ ସ୍ଥାନୀୟ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ବରିଷ୍ଠ ନାଗରିକମାନଙ୍କୁ ଆପ୍ୟାୟିତ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ରିପୋର୍ଟ: ଦୁତି କୃଷ୍ଣ ପଣ୍ଡା







