
ଭୁବନେଶ୍ବର: ଓଡ଼ିଶା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ବାର୍ଷିକ ଯୁକ୍ତ ଦୁଇ (+2) 2027 ପରୀକ୍ଷା ପାଇଁ ଏକ୍ସ-ରେଗୁଲାର (Ex-Regula) ପରୀକ୍ଷାର୍ଥୀଙ୍କ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖକୁ ବୃଦ୍ଧି କରିଛି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ସମେତ ପତ୍ରବିନିମୟ ପାଠ୍ୟକ୍ରମ (Correspondence Course)ର ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ଅକ୍ଟୋବର 9ରୁ 12 ତାରିଖ ମଧ୍ୟରେ ବିନା ଜରିମନା (Fine)ରେ ଫର୍ମ ଫିଲ୍ଅପ୍ କରିପାରିବେ । ଏନେଇ CHSE ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।
CHSE ବିଜ୍ଞପ୍ତି ଅନୁସାରେ, ଆଗାମୀ କଲେଜ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ଉଚ୍ଚ ମାଧ୍ୟମିକ ସ୍କୁଲ୍ ପକ୍ଷରୁ ଫର୍ମ ଫିଲଅପ୍ ସମୟସୀମା ବଢ଼ାଇବାକୁ ଅନୁରୋଧ ଆସିଥିଲା । ଏହି ଅନୁରୋଧ ଗୁଡ଼ିକୁ ବିଚାର କରି CHSE ଶେଷ ତାରିଖ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ଫଳରେ 2027 ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ 9 ଅକ୍ଟୋବରରୁ 12 ଅକ୍ଟୋବର ମଧ୍ୟରେ କୌଣସି ଫାଇନ୍ ନଦେଇ ଫର୍ମ ପୂରଣ କରିପାରିବେ ।ତେବେ ଫର୍ମ ଫିଲଅପ୍ ସମ୍ପର୍କିତ ଅନ୍ୟ ସମସ୍ତ ନିୟମ ଓ ପୂର୍ବରୁ ଜାରି ହୋଇଥିବା ସୂଚୀ ଅପରିବର୍ତ୍ତିତ ରହିବ ବୋଲି CHSE ସ୍ପଷ୍ଟ କରିଛି । ତେଣୁ ଫର୍ମ ଫିଲଅପ୍ରୁ ବଞ୍ଚିତ ହୋଇଥିବା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । ପୂର୍ବରୁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ଫିଲ୍ଅପ୍ ଅକ୍ଟୋବର 1ରୁ ଆରମ୍ଭ ହୋଇ 9 ତାରିଖ ପର୍ଯ୍ୟନ୍ତ ବିନା ଫାଇନ୍ରେ ଧାର୍ଯ୍ୟ କରାଯାଇଥିଲା ।
ଆଜିଠାରୁ 12 ତାରିଖ ମଧ୍ୟରେ ବିନା ଫାଇନ୍ରେ ଫର୍ମ ଫିଲଅପ କରାଯିବ (ଅକ୍ଟୋବର 15 ତାରିଖ ମଧ୍ୟରେ ଫି’ ଦାଖଲ ) । ନଭେମ୍ବର 17ରୁ 19 ତାରିଖ 200 ଟଙ୍କା ଫାଇନ (ନଭେମ୍ବର 18ରୁ 21 ତାରିଖ ମଧ୍ୟରେ ଫି’ ଦାଖଲ) । ନଭେମ୍ବର 23ରୁ 26 ତାରିଖ 600 ଟଙ୍କା ଫାଇନ (ନଭେମ୍ବର 26ରୁ 27 ତାରିଖ ମଧ୍ୟରେ ଫି’ ଦାଖଲ) ।
ଅନ୍ୟପଟେ 2024 କିମ୍ବା ତାହା ପୂର୍ବରୁ CHSEରେ ପଞ୍ଜୀକୃତ ହୋଇଥିବା ଓ ପୂର୍ବ ପରୀକ୍ଷାରେ ଫେଲ୍ ହୋଇଥିବା ପରୀକ୍ଷାର୍ଥୀ ଏକ୍ସ-ରେଗୁଲାର ଭାବେ ଫର୍ମ ଫିଲ୍ଅପ୍ କରିବେ । ପୂର୍ବରୁ ପରୀକ୍ଷା ଦେବାକୁ ଯୋଗ୍ୟ ଥାଇ ଫର୍ମ ଫିଲ୍ଅପ୍ କରିନଥିବା ପ୍ରାର୍ଥୀମାନେ ମଧ୍ୟ ନିୟମ ଅନୁସାରେ ଏକ୍ସ-ରେଗୁଲାର ଭାବେ ଫର୍ମ ଫିଲ୍ଅପ୍ କରିପାରିବେ ।








