
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବାରୁ ଅଭିନନ୍ଦନ ଜଣାଇ ଓଡ଼ିଶା କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ଯୋଜନା, OSCMF ଓ OSSC ପାଇଁ ୧,୩୬୦ କୋଟି କର୍ପସ ଫଣ୍ଡ, ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ରାଜ୍ୟର ସହରାଞ୍ଚଳରେ ଜଳବନ୍ଦୀ ଓ ସ୍ଥାନୀୟ ବନ୍ୟା ସମସ୍ୟାର ସମାଧାନ ପାଇଁ ୫୦୦ କୋଟି ଟଙ୍କାର ‘ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ପରିଚାଳନା ଓ ଉନ୍ନତିକରଣ କାର୍ଯ୍ୟକ୍ରମ’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ୨୦୨୬-୨୭ରୁ ୨୦୩୦-୩୧ ଆର୍ଥିକ ବର୍ଷ ମଧ୍ୟରେ ୫ ବର୍ଷ ପାଇଁ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପୌରାଞ୍ଚଳ ଓ ଚୟନିତ ବ୍ଲକ ମୁଖ୍ୟାଳୟରେ ଡ୍ରେନ ସଫେଇ, ଆର୍ସିସି ଡ୍ରେନ ନିର୍ମାଣ, ଡ୍ରେନ ଆଚ୍ଛାଦନ ଏବଂ ପ୍ରାକୃତିକ ଜଳ ନିଷ୍କାସନ ପଥର ପୁନରୁଦ୍ଧାର କରାଯିବ । ଏହା ଦ୍ୱାରା ଜଳବନ୍ଦୀ ସମସ୍ୟା ହ୍ରାସ ପାଇବା ସହ ଭୂତଳ ଜଳସ୍ତର ବୃଦ୍ଧି ଓ ସହରାଞ୍ଚଳର ସୁରକ୍ଷା ଦିଗରେ ସହାୟତା ମିଳିବ ।








