
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବାରୁ ଅଭିନନ୍ଦନ ଜଣାଇ ଓଡ଼ିଶା କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ଯୋଜନା, OSCMF ଓ OSSC ପାଇଁ ୧,୩୬୦ କୋଟି କର୍ପସ ଫଣ୍ଡ, ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ମାଛଧରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ ଆର୍ଥିକ ବିଡକୁ ଅନୁମୋଦନ ଦେଇଛି । ଏଥିପାଇଁ ଜିଏସଟି ବ୍ୟତୀତ ୧୩୩.୮୧ କୋଟି ଖର୍ଚ୍ଚ ହେବ । ୨୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ । ଏହି ବନ୍ଦରରେ ୧,୯୬୦ଟି ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ପାଇଁ ନିରାପଦ ଅବତରଣ ଓ ରହଣି ବ୍ୟବସ୍ଥା ରହିବ । ବାର୍ଷିକ ୫୫,୮୭୬ ମେଟ୍ରିକ ଟନ୍ ମାଛ ଧରାଯିବା ସହ ଏହାର ଆନୁମାନିକ ମୂଲ୍ୟ ୪୯୬.୩୬ କୋଟି ହେବ ବୋଲି ଆକଳନ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୩୫ ହଜାର ମତ୍ସ୍ୟଜୀବୀ ଓ ଅନ୍ୟାନ୍ୟ ହିତାଧିକାରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ । ଏହା ମାଛ ନଷ୍ଟ ହ୍ରାସ, ବିପଣନ ବ୍ୟବସ୍ଥାର ଉନ୍ନତି ଏବଂ ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବ ।








