
ଭୁବନେଶ୍ଵର : ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଏ ବିଜୟ ଓଡ଼ିଶାର #GenZ, ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଛି । ଛାତ୍ର ସଂସଦ ନିର୍ବାଚନକୁ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ସାଧୁବାଦ ଜଣାଉଛି । କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକ ହୋଇ ଆଗେଇ ଆସନ୍ତୁ ।
ଘୋଷଣା ହୋଇଥିବା ୨୮୫ଟି କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବିସିଜେଡି ମଧ୍ୟରେ ଏଥର କଡ଼ା ଟକ୍କର ହୋଇଛି । ଏବିଭିପି ୧୪୨ଟି ସଭାପତି ଆସନ ଦଖଲ କରିଥିବାବେଳେ ବିସିଜେଡି ୧୨୧ଟିରେ ବାଜିମାତ୍ କରିଥିବା ଦାବି କରିଛନ୍ତି । ସେହିପରି ଏନ୍ଏସୟୁଆଇ ପ୍ରାର୍ଥୀ ୫ଟି କଲେଜରେ ସଭାପତି ପଦରେ ବିଜୟୀ ହୋଇଥିବା ସଂଗଠନ ପକ୍ଷରୁ ଦାବି କରାଯାଇଛି । ୧୯ଟି କଲେଜରେ ସଭାପତି ଆସନ ହାସଲ କରି ସ୍ୱାଧୀନ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରାର୍ଥୀ ଦମ୍ ଦେଖାଇଥିବା କୁହାଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ, ଫକୀରମୋହନ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଭଳି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିସିଜେଡି ସଭାପତି ପ୍ରାର୍ଥୀଙ୍କ ବିଜୟ ଦାବି କରାଯାଇଛି ।..







