କଲେଜ ନିର୍ବାଚନ ଫଳ ଦେଇଛି ସତର୍କ ଘଣ୍ଟି: ବହୁ ବିଧାୟକ, ସାଂସଦ, ଛାମୁଆ ସଂଗଠକଙ୍କ ମୁଣ୍ଡ ଗୋଲ୍‌

ଭୁବନେଶ୍ୱର : ମଇଦାନରେ ଲଢ଼ୁଥିଲେ କଲେଜ ଛାତ୍ରଛାତ୍ରୀ । କ୍ୟାମ୍ପସ ବାହାର ୱାର ରୁମ୍‌ରେ ରଣନୀତି କରୁଥିଲେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ଛାମୁଆ ସଂଗଠକ । କଲେଜ ନିର୍ବାଚନ ଫଳ ଘୋଷଣା ପରେ କେଉଁଠି ବଲ୍ଲେବଲ୍ଲେ, ଆଉ କେଉଁଠି ନିରାଶାର ବାତାବରଣ । କାହା ପାଦ ତଳୁ ମାଟି ଖସିଛି, ଆଉ କାହା ପତିଆରା ମାଟିରେ ମିଶିଛି । ଏହି ନିର୍ବାଚନରୁ ଜେନ୍‌-ଜିର ମୁଡ୍‌ କ’ଣ ତା’ର ବାର୍ତ୍ତା ମିଳିଛି । ଆଗକୁ ଅଛି ପଞ୍ଚାୟତ ନିର୍ବାଚନ । ସାରା ଦେଶରେ ଜେନ୍‌-ଜି ଏବେ ମାତ୍ରାଧିକ ସକ୍ରିୟ ହୋଇ ନିଜ ଉପସ୍ଥିତି ଜାହିର କରୁଛନ୍ତି । ଏହାର ବଡ଼ ପ୍ରଭାବ ପଞ୍ଚାୟତ ଓ ପୌର ଭୋଟରେ ପଡ଼ିବା ସମ୍ଭାବନା ଅଛି । କଲେଜ ନିର୍ବାଚନର ଫଳରୁ ଶାସକ ଦଳ ପ୍ରତି ସମର୍ଥନ ଏବେ ବି ଅଧିକ ଥିବା କୁହାଯାଉଛି । ମାତ୍ର ବିଜେଡି ମଧ୍ୟ ଜୋରଦାର ଟକ୍କର ଦେବାକୁ ମଇଦାନକୁ ଡେଇଁଛି । କିନ୍ତୁ, କଂଗ୍ରେସ ପ୍ରଦର୍ଶନରେ ବହୁ ପଛରେ ରହିଯାଇଛି । କାଁ ଭାଁ କିଛି କଲେଜରେ ହିଁ ଏନଏସୟୁଆଇ ନିଜ ଉପସ୍ଥିତି ଜାହିର କରିବାକୁ ସକ୍ଷମ ହୋଇଛି ।
କଲେଜ ନିର୍ବାଚନ ଫଳ ଦେଇଛି ସତର୍କ ଘଣ୍ଟି । ବହୁ ବିଧାୟକ, ସାଂସଦ, ଛାମୁଆ ସଂଗଠକଙ୍କ ମୁଣ୍ଡ ଗୋଲ୍‌ । ହାତ ମୁଠାରୁ ଖସିଛି କ୍ୟାମ୍ପସ । ଦଳୀୟ ନେତୃତ୍ୱଙ୍କୁ କି ଜବାବ ଦେବେ, ପାଟି ଥତମତ । ଅନ୍ୟପଟେ ଦବଦବା ବଜାୟ ରଖିଥିବା ନେତାଙ୍କ ଶିବିରରେ ସେଲିବ୍ରେସନ, ଆଉ ଫଟୋ ସେସନ । କଟକ ଜିଲ୍ଲାରେ ବିସିଜେଡି ଚମକିଛି । ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ ବିଶ୍ୱାଳ ଓ ତାଙ୍କ ବାପା ପ୍ରଭାତ ବିଶ୍ୱାଳଙ୍କୁ ଝଟ୍‌କା ଦେଇଛି ରେଭେନ୍ସା, ଏମଏସ୍‌ ବିଶ୍ୱବିଦ୍ୟାଳୟ, ଜେକେବିକେ ଏବଂ ଚୌଦ୍ୱାର କଲେଜ ଫଳ । ବିଜେପିର ଦୁଇ ବିଧାୟକ ପ୍ରକାଶ ସେଠୀ ଓ ଛବି ମଲ୍ଲିକଙ୍କ ପ୍ରାର୍ଥୀମାନଙ୍କୁ ମଧ୍ୟ ଆଶାନୁଯାୟୀ ସଫଳତା ମିଳିନି । ନିମାପଡ଼ା କଲେଜ ନିର୍ବାଚନ ଫଳାଫଳ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଶିବିରର ଚିନ୍ତା ବଢ଼ାଇଛି । ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ମାଧ୍ୟମରେ ଦମ୍ଭ ଦେଖାଇଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦାଶ । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନମଣ୍ଡଳୀ ପାଟଣାଗଡ଼ରେ ଜ୍ୟୋତିବିକାଶ କଲେଜକୁ ଛାଡ଼ି ଦେଲେ ସବୁଠି ବିସିଜେଡିର ବାଜିମାତ୍‌ । ଢେଙ୍କାନାଳରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରଣନୀତି କାଟୁ କଲାନି । ଢେଙ୍କାନାଳ ସ୍ୱୟଂଶାସିତ କଲେଜରେ ଏବିଭିପି ଲଢ଼େଇରେ ହିଁ ରହିପାରିଲାନି । ନବରଙ୍ଗପୁର ଜିଲ୍ଲାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ଭତ୍ରାଙ୍କ ରଣନୀତିକୁ ବିସିଜେଡି ଫେଲ୍‌ କରିଛି । ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବଡ଼ଚଣାକୁ ଛାଡ଼ିଦେଲେ ବିଞ୍ଝାରପୁର, ବରୀ, ଯାଜପୁର, ଦଶରଥପୁରରେ ବିସିଜେଡି କ୍ଲିନ୍‌ ସ୍ୱିପ୍‌ କରିଛି । କେନ୍ଦ୍ରାପଡ଼ାରେ ମଧ୍ୟ ବିସିଜେଡି ପ୍ରଦର୍ଶନ ଜବରଦସ୍ତ ହୋଇଛି । ହେଲେ ତାଳଚେରରେ ବିଧାୟକ ବ୍ରଜ ପ୍ରଧାନ, ଆଠମଲ୍ଲିକରେ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ଶିବିରରେ ପରାଜୟର ନିରାଶା ମାଡ଼ିଯାଇଛି । ଏସବୁ ସ୍ଥାନରେ ଏବିଭିପି କମାଲ ଦେଖାଇଛି ।
ପୁରୀରେ ବି ବିଜେଡି ବିଧାୟକ ସୁନୀଲ ମହାନ୍ତିଙ୍କୁ ଝଟ୍‌କା ଦେଇ ଏସସିଏସ୍‌ କଲେଜରେ ଏନଏସୟୁଆଇ ବାଜିମାତ୍‌ କରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ବିଜେଡିକୁ ମିଶ୍ରିତ ଫଳ ମିଳିଛି । ଗଣ୍ଡଳା, ହିଞ୍ଜିଳିକାଟୁ ବିଜ୍ଞାନ କଲେଜର ସଭାପତି ପଦ ଏବିଭିପିକୁ ଯାଇଛି । ଗଞ୍ଜାମ ଜିଲ୍ଲାର ଦୁଇଟି ଯାକ ବିଶ୍ୱବିଦ୍ୟାଳୟରୁ ଗୋଟିଏ ବି ବିସିଜେଡି ଜିତିପାରିଲାନି । କଳାହାଣ୍ଡିରେ ପିସିସି ସଭାପତି ଭକ୍ତ ଦାସ ଓ ତାଙ୍କ ପୁଅ ବିଧାୟକ ସାଗର ଦାସ ମଧ୍ୟ କିଛି କମାଲ ଦେଖାଇ ପାରିନାହାନ୍ତି । ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଧାୟକ ତାରା ବାହିନୀପତିଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ମାତ୍‌ ଦେଇଛନ୍ତି ଏବିଭିପି ପ୍ରାର୍ଥୀ । ହେଲେ କୋରାପୁଟ ନନ୍ଦପୁର ସିନେ୍ଧଦେବୀ କଲେଜ ନିର୍ବାଚନକୁ ନେଇ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ସଭାପତି ଓ ସମ୍ପାଦକ ପଦ ବିସିଜେଡିକୁ ମିଳିଥିବା ଦାବି କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଉଭୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଶିବିରକୁ ପଳାଇ ଆସିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଏବିଭିପିର ସାନଦାର ପ୍ରଦର୍ଶନ ଦେଖାଇଛି । ସମ୍ବଲପୁରରେ ମଧ୍ୟ ଏବିଭିପିକୁ ଜୋରଦାର ସଫଳତା ମିଳିଛି । ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ବାଚନମଣ୍ଡଳୀ ରେଢାଖୋଲରେ ଏବିଭିପି ଶକ୍ତି ଦେଖାଇଛି । ରେଙ୍ଗାଳିରେ ବିଜେଡି ବିଧାୟକ ଥିବା ସତ୍ତ୍ଵେ ବିସିଜେଡି ଝଟକା ଖାଇଛି । କିନ୍ତୁ, ଝାରସୁଗୁଡ଼ା ଜିଲ୍ଲାରେ ୫ଟି କଲେଜରୁ ଏବିଭିପି ମାତ୍ର ଗୋଟିଏ ସଭାପତି ପଦ ପାଇଛି । ଏହି ଫଳାଫଳକୁ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଶିବିରଙ୍କ ଚିନ୍ତା ବଢ଼ିଛି । ହେଲେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆସନ ବ୍ରଜରାଜନଗରରେ ଏବିଭିପି ଏକପାଖିଆ ବିଜୟ ପାଇଛି । ଗତ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟ ପାଇଁ ନିଜ ଦଳରୁ ନିଲମ୍ବିତ ହୋଇଥିବା ଅଧିକାଂଶ ବିଧାୟକ ନିଜ ନିର୍ବାଚନମଣ୍ଡଳୀରେ ପତିଆରା ହରାଇଛନ୍ତି । କଂଗ୍ରେସରୁ ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ କଲେଜ ନିର୍ବାଚନ ଫଳାଫଳ ନିରାଶ କରିଛି । ସାନଖେମୁଣ୍ଡିର ବିଧାୟକ ରମେଶ ଜେନା ବାଲିଗୁଡ଼ାର ଚକ୍ରମଣି କହଁର, ମୋହନାର ଦାଶରଥୀ ଗମାଙ୍ଗଙ୍କ ରଣନୀତି ବି ଏଥର କାଟୁ କଲାନି । ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ନିର୍ବାଚନରେ ସକ୍ରିୟତା ଦେଖାଇନଥିଲେ । ହେଲେ ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କିନ୍ତୁ କଲେଜ ନିର୍ବାଚନରେ ନିଜ ଦମ୍‌ ଦେଖାଇଛନ୍ତି । ଏହି ହାରଜିତକୁ ନେଇ ସହରରୁ ଗାଁ ରାଜନୀତି ତେଜିଛି । ବିଶେଷ କରି ବିଜେପି ଓ ବିଜେଡି ଶିବିରରେ ସକ୍ରିୟତା ବଢ଼ିଛି । ଆଉ ମାସ କେଇଟା ପରେ ପଞ୍ଚାୟତ ଓ ପୌର ନିର୍ବାଚନ । ଏ ସକ୍ରିୟତା ଆଗକୁ ଆହୁରି ବଢ଼ିବ ।

  • Related Posts

    ABVPର ବିଜୟ ପରେ ଶାହାଙ୍କ ଅଭିନନ୍ଦନ

    ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର କର୍ମୀମାନଙ୍କୁ ସେମାନଙ୍କର ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର (ଅକ୍ଟୋବର ୧୭) ସେ କହିଛନ୍ତି ଯେ, ସଂଗଠନର ଏହି…

    Continue reading
    ଛାତ୍ର ସଂସଦ ଭଳି ପଞ୍ଚାୟତ, ପୌର ଭୋଟରେ କ୍ଲିନ୍‌ସୁଇପ୍‌ କରିବୁ:ବିଜେପି

    ଭୁବନେଶ୍ୱର: ଗତ ବିଜେଡି ସରକାର ଅମଳରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା। ପୂର୍ବ ସରକାର ଛାତ୍ର ସମାଜ ଭିତରୁ ନେତୃତ୍ୱ ବିକାଶର ବାଟକୁ ବନ୍ଦକରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ କରିଥିଲେ। ଏନେଇ ବିଜେପି ୨୦୨୪…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି