
ଭୁବନେଶ୍ୱର: ଗତ ବିଜେଡି ସରକାର ଅମଳରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା। ପୂର୍ବ ସରକାର ଛାତ୍ର ସମାଜ ଭିତରୁ ନେତୃତ୍ୱ ବିକାଶର ବାଟକୁ ବନ୍ଦକରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ କରିଥିଲେ। ଏନେଇ ବିଜେପି ୨୦୨୪ ସାଧାରଣ ନିର୍ବାଚନ ସମୟରେ ନିଜ ସଂକଳ୍ପପତ୍ରରେ ପ୍ରତିଶ୍ରୁତି ଦେଇଥିଲା, ଦଳ ସରକାରକୁ ଆସିଲେ ନିଶ୍ଚିତ ଛାତ୍ର ସଂସଦ ନିର୍ବାଚନ କରାଇବ। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଉକ୍ତ ସଂକଳ୍ପପତ୍ର ଆଧାରରେ ଛାତ୍ରମାନଙ୍କ ଦୀର୍ଘଦିନର ଦାବି ପୂରଣ କରିଛି। ସେମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଇଛି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁନର୍ବାର ସଫଳତାର ସହ ଛାତ୍ର ସଂସଦ ନିର୍ବାଚନ ସମ୍ପୂର୍ଣ୍ଣ ହୋଇଛି। ଏହା କେବଳ ମହାବିଦ୍ୟାଳୟ ନିର୍ବାଚନ ନୁହେଁ ବରଂ ପ୍ରକୃତ ଗଣତନ୍ତ୍ର ଓ ଛାତ୍ର ସମାଜର ବିଜୟ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି। ଭାଜପା ରାଜ୍ୟ କାର୍ୟ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିରଞ୍ଚି ଆହୁରି କହିଛନ୍ତି, ଛାତ୍ର ସଂସଦ ନିର୍ବାଚନରେ ଦଳ ଯେମିତି ଭଲ ପ୍ରଦର୍ଶନ କଲା ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କ୍ଲିନ୍ ସୁଇପ୍ କରିବ। କେନ୍ଦ୍ରରେ ମୋଦି ଓ ରାଜ୍ୟର ମୋହନ ସରକାରଙ୍କ ଦ୍ୱାରା ରାଜ୍ୟରେ ଅନେକ ବିକାଶମୂଳକ କାର୍ୟ୍ୟ ହୋଇଛି। ବିଶେଷକରି ଗ୍ରାମାଞ୍ଚଳର ବିକାଶ, ଗରିବଙ୍କ କଲ୍ୟାଣ ଏବଂ ଯୁବବର୍ଗଙ୍କ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି। ପଞ୍ଚାୟତ ହେଉ କିମ୍ବା ପୌର ନିର୍ବାଚନ ଆଗାମୀ ଦିନରେ ଫଳାଫଳ ଭାଜପା ସପକ୍ଷରେ ଯିବ। ଅନ୍ୟପଟେ ବିଜେଡି ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଛାତ୍ର, ଯୁବକ, ଜେନ୍-ଜି ନବୀନଙ୍କ ପାଇଁ ଲାଗିଥିଲେ। ଏହା କେବଳ ଗୋଟେ ଟ୍ରେଲର ଥିଲା। ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଆଶାତୀତ ସଫଳତା ପାଇବ। କାରଣ ସେମାନେ ନବୀନଙ୍କ ବିକାଶ ସହ ଅଛନ୍ତି ବୋଲି ଅତନୁ କହିଛନ୍ତି। ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବ ସରକାର ନିର୍ବାଚନକୁ ଭୟକରି ଦୀର୍ଘ ବର୍ଷ ଧରି ଛାତ୍ର ସଂସଦ ଭୋଟ ବନ୍ଦ ରଖିଥିଲେ। କେତେକ ସ୍ଥାନରେ ନିର୍ବାଚନକୁ ବିଶୃଙ୍ଖଳିତ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଅଧିକାଂଶ କଲେଜରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ପ୍ରାୟ ୭୦ ପ୍ରତିଶତରୁ ଅଧିକ କଲେଜରେ ଏବିଭିପି ବିଜୟୀ ହୋଇଛି। ଜେନ୍-ଜି ତାଙ୍କ ଦଳ ସହ ଅଛିି ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।







