
କେନ୍ଦ୍ରାପଡ଼ା: ଲୁଣା ନଦୀରେ ଗାଧୋଇବା ବେଳେ ଘଟିଛି ବଡ଼ ଅଘଟଣ। ଜଣେ ଯୁବକ ଭାସିଯାଉ ଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ନଦୀରେ ନିଖୋଜ ହୋଇଯାଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦାନପୁର ନିକଟ ଗହଗା ଘାଟରେ ଏହି ଅଘଟଣ ଘଟିଛି। ନିଖୋଜ ତିନି ଯୁବକ ହେଲେ ହିମାଂଶୁ ଶେଖର ଶତପଥୀ ଓରଫ ଆଶିଷ, ସବ୍ୟସାଚୀ ସ୍ୱାଇଁ ଓ ଚିରଞ୍ଜୀବ ପରିଡ଼ା ଓରଫ ପିଣ୍ଟୁ।ସୂଚନା ଅନୁସାରେ, ଗହଗା ଗାଁର ୫ରୁ ୭ ଜଣ ଯୁବକ ଏକାଠି ହୋଇ ଲୁଣା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ସମସ୍ତେ ଗାଧୋଇବା ସମୟରେ ହଠାତ୍ ଆଶିଷଙ୍କ ଗୋଡ଼ ନଦୀରେ ଖସି ଯାଇଥିଲା।ଗୋଡ଼ ଖସି ଯିବାରୁ ସେ ସମ୍ଭବତଃ ନଦୀରେ ପ୍ରଖର ସ୍ରୋତରେ ପଡ଼ି ଭାସି ଯାଇଥିଲେ। ଏହାକୁ ଦେଖି ସବ୍ୟସାଚୀ ଓ ଚିରଞ୍ଜୀବ ପୂରା ଚକିତ ହୋଇଯାଇଥିଲେ। ସେମାନେ ତୁରନ୍ତ ଆଶିଷଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଅକାତକାତ ପାଣି ସେମାନଙ୍କୁ ମଧ୍ୟ ଭସାଇ ନେଇଥିଲା। ଏଥିଯୋଗୁ ଏବେ ୩ ଜଣ ଯାକ ଯୁବକ ନିଖୋଜ ହୋଇଯାଇଛନ୍ତି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା। ଭାସି ଯାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବାପା ମଧ୍ୟ ପାଣିକୁ ଡେଇଁଥିଲେ। ସେମାନେ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ଅନ୍ୟମାନେ ଠିକଣା ସମୟରେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସାମାନ୍ୟ ଖରାପ ରହିଥିବା ଜଣେ ଗ୍ରାମବାସୀ କହିଛନ୍ତି।
ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ଖବର ପାଇ ଗାଁ ଲୋକମାନେ ତୁରନ୍ତ ପହଞ୍ଚିଥିଲେ। ହେଲେ ଅଗ୍ନିଶମ ବାହିନୀ ଦେଢ଼ ଘଣ୍ଟା ପରେ ଆସିଥିଲା। ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିଥିଲେ ହେଁ ଏଯାଏ କାହାର ପତ୍ତା ମିଳିନାହିଁ। ସେମାନେ ଏବେ ଖୋଜାଖୋଜି ଜାରି ରଖିଛନ୍ତି।







