
ଦେବଗଡ଼:ରାବଣ ପୋଡି ଓ ଭସାଣୀ ଶୋଭାଯାତ୍ରା ସହ ସରିଲା ଦୁର୍ଗାପୂଜା। ତେବେ ଗତକାଲି ପୌରାଞ୍ଚଳ ଖପରସାହି ସ୍ଥିତ ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ରାମ, ଲକ୍ଷ୍ମଣ ଓ ହନୁମାନଙ୍କ ବେଶରେ କୁନିକୁନି ପିଲାମାନେ ନଗର ପରିକ୍ରମା କରିବା ପରେ ରାବଣ ପୋଡି ସ୍ଥଳରେ ପହଞ୍ଚିଥିଲେ। କିଛି ସମୟ ଧରି ବିଭିନ୍ନ ପ୍ରକାର ଆତସ ବାଜି ପରେ ରାବଣଙ୍କ କୁଶ ପୁତ୍ତଳିକା ଉପରେ ଅଗ୍ନି ସଂଯୋଗ ସହ ରାବଣ ଦହନ ସମ୍ପନ୍ନ ହୋଇଥିଲା।କମିଟିର ସଭାପତି ଉମାଶଙ୍କର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ମୁଖ୍ୟଅତିଥି, କାଉନସିଲର ପ୍ରମିଳା ବେହେରା, ଯତିନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ କମିଟିର ଉପସଭାପତି ଦେବେନ୍ଦ୍ର ସାହୁ ଓ ରୂପେଶ ଦେହୁରୀ,ସାଧାରଣ ସଂପାଦକ ଜ୍ୟୋର୍ତିମାନ ବେହେରା, ସହ ସଂପାଦକ ରାକେଶ ବେହେରା ଓ ପ୍ରବୀଣ ସାମଲ ,କୋଷାଧ୍ୟକ୍ଷ ପାଣ୍ଡବ ଭୁକ୍ତାଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ରାବଣ ପୋଡି ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ସଂଧ୍ୟାରେ ସହରର ଏନଏଚ ଷ୍ଟୋରସ୍ଥିତ ଫ୍ରେଣ୍ଡସ୍ କ୍ଲବର ମେଢ ବିଭିନ୍ନ ସାଂସ୍କୃତିକ କାଯ୍ୟର୍କ୍ରମର ତାଳେ ତାଳେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ପ୍ରଧାନପାଟରୋଡ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟିର ମେଢ, ଖପରସାହିସ୍ଥିତ ଦୁର୍ଗା ପୂଜା ମେଢର ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।







