
ଦେବଗଡ:ଦେବଗଡ଼ ଜିଲ୍ଲାରେ ନିର୍ଭୁଲ ଭୋଟର୍ ତାଲିକା କାର୍ଯ୍ୟର ତଦାରଖ ପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଦେବେନ୍ଦ୍ର କୁମାର ନନ୍ଦ ଆଜି ଦେବଗଡ ଗସ୍ତରେ ଆସି ଜିଲ୍ଲାର ବ୍ଲକ୍ ଓ ପୌରାଚଂଳରେ ଭୋଟର୍ ତାଲିକାକୁ ନିର୍ଭୁଲ ସଂଶୋଧନ ପାଇଁ ସମୀକ୍ଷା କରିଥିଲେ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ନନ୍ଦ ଯୋଗ ଦେଇ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌରନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ଯାଇ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ ଏବଂ ତ୍ରୁଟି ଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ପରେ ବାରକୋଟ ବ୍ଲକ୍ କଣ୍ଢଳ ପଞ୍ଚାୟତର ବୁଥ ନମ୍ବର ୪୫ ଓ ୪୮ ପରିଦର୍ଶନ କରିଥିଲେ।ଏହାସହିତ ବୁଥ୍ ସ୍ତରୀୟ ଭୋଟର୍ ଲିଷ୍ଟ୍ ସଂଶୋଧନ ଦାୟିତ୍ବରେ ଥିବା ବିଏଲଓ ଓ ଜନସାଧାରଣ ମାନଙ୍କ ସହ ଆଲୋଚନା କରିଥିଲେ।ଏଥିରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର ସାହୁ,ଉପଜିଲ୍ଲାପାଳ ରଶ୍ମୀରଞ୍ଜନ ମହନ୍ତ,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ , ଡେପୁଟୀ କଲେକ୍ଟର ଅଞ୍ଜୁନୀ କୁଜୁରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।





