
ଡେରି ରାତିରେ ଖାଇବା, ରାତି ଅଧରେ ସ୍ନାକ୍ସ ଖାଇବା ଏବଂ ଅନିୟମିତ ନିଦ୍ରା ଏବେ ଅନେକଙ୍କ ଦୈନନ୍ଦିନ ଅଭ୍ୟାସ। କିନ୍ତୁ ଏହି ଅଭ୍ୟାସ ଦୀର୍ଘ ସମୟରେ ଶରୀରର ବାୟୋଲଜିକାଲ୍ କ୍ଲକ୍କୁ ପ୍ରଭାବିତ କରିବା ସହ ଷ୍ଟ୍ରୋକ୍ର ଆଶଙ୍କା ବଢ଼ାଇପାରେ ବୋଲି ବିଶେଷଜ୍ଞ ସତର୍କ କରିଛନ୍ତି।
ଆଜିର ଦୌଡ଼ଧାଉଡ଼ ଜୀବନରେ ଅନେକ ଲୋକ ରାତିରେ ଡେରି ପର୍ଯ୍ୟନ୍ତ କାମ କରୁଛନ୍ତି। ମୋବାଇଲ୍, ଲାପଟପ୍ ଓ ଅନିୟମିତ ନିଦ୍ରା ଯୋଗୁଁ ଡିନର୍ର ସମୟ ମଧ୍ୟ ପଛକୁ ଘୁଞ୍ଚିଯାଉଛି। କେହି କେହି ମଧ୍ୟରାତ୍ରିରେ ମଧ୍ୟ ଚିପ୍ସ, ମିଠା କିମ୍ବା ତେଲିଆ ଖାଦ୍ୟ ଖାଉଛନ୍ତି। ବିଶେଷଜ୍ଞଙ୍କ ମତରେ, କେବଳ କ’ଣ ଖାଉଛନ୍ତି ତାହା ନୁହେଁ, କେତେବେଳେ ଖାଉଛନ୍ତି ତାହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।
ବାୟୋଲଜିକାଲ୍ କ୍ଲକ୍ ଉପରେ ପଡ଼େ ପ୍ରଭାବ
ମଣିଷ ଶରୀରରେ ୨୪ ଘଣ୍ଟିଆ ଏକ ଜୈବିକ ଘଡ଼ି ରହିଛି, ଯାହାକୁ ସର୍କାଡିଆନ୍ ରିଦମ୍ କୁହାଯାଏ। ଏହା ନିଦ୍ରା, ହରମୋନ୍, ବ୍ଲଡ୍ ପ୍ରେସର ଓ ମେଟାବଲିଜମ୍ ଭଳି ଅନେକ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ବାରମ୍ବାର ଡେରିରେ ଖାଇବା ଏବଂ ନିଦ୍ରାର ସମୟ ବଦଳାଇବା ଏହି ସ୍ୱାଭାବିକ ଘଡ଼ିକୁ ବିଗାଡ଼ିଦିଏ।
୨୦୨୩ରେ ପ୍ରକାଶିତ ଏକ ଅଧ୍ୟୟନରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଥିଲା। ରାତି ୯ଟା ପରେ ଶେଷ ଭୋଜନ କରୁଥିବା ଲୋକଙ୍କ ମଧ୍ୟରେ ରାତି ୮ଟା ପୂର୍ବରୁ ଖାଇଥିବା ଲୋକଙ୍କ ତୁଳନାରେ ସେରେବ୍ରୋଭାସ୍କୁଲାର୍ ରୋଗର ଆଶଙ୍କା ଅଧିକ ଦେଖାଯାଇଥିଲା।
ମଧ୍ୟରାତ୍ରିରେ କ’ଣ ଖାଉଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ
ରାତିରେ ଭୋକ ଲାଗିଲେ ଅନେକ ଲୋକ— ଚିପ୍ସ ଓ ନମକିନ୍, ମିଠା ଓ ଚକୋଲେଟ୍, ତେଲରେ ଭଜା ଖାଦ୍ୟ, ପ୍ୟାକେଟ୍ ସ୍ନାକ୍ସ, ଅଧିକ ଚିନି ଥିବା ପାନୀୟ ଆଦି ଖାଇଥାନ୍ତି। ଏ ସବୁରେ ଲୁଣ, ଚିନି, କ୍ୟାଲୋରୀ ଓ ଅସ୍ୱାସ୍ଥ୍ୟକର ଫ୍ୟାଟ୍ ଅଧିକ ରହିପାରେ। ଏଗୁଡ଼ିକୁ ନିୟମିତ ଖାଇଲେ ଓଜନ ବଢ଼ିବା, ବ୍ଲଡ୍ ପ୍ରେସର ବଢ଼ିବା ଓ ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ସମସ୍ୟା ହୋଇପାରେ।
ଷ୍ଟ୍ରୋକ୍ର ଆଶଙ୍କା କିପରି ବଢ଼େ?
ଡେରିରେ ଖାଇବା ଅଭ୍ୟାସ ସହ ଅନ୍ୟ କିଛି ଅସ୍ୱାସ୍ଥ୍ୟକର ଅଭ୍ୟାସ ମଧ୍ୟ ଯୋଡ଼ି ହୋଇଯାଏ।
ସକାଳ ଜଳଖିଆ ଛାଡ଼ିଦେବା
ରାତିରେ ଅଧିକ ଖାଇବା
ପର୍ଯ୍ୟାପ୍ତ ନିଦ୍ରା ନହେବା
ଶାରୀରିକ ପରିଶ୍ରମ କମିଯିବା
ଓଜନ ବଢ଼ିବା
ଡାଇବେଟିସ୍ ଓ ହାଇ ବ୍ଲଡ୍ ପ୍ରେସର
ଏହି ସବୁ ସମସ୍ୟା ଦୀର୍ଘ ସମୟରେ ଷ୍ଟ୍ରୋକ୍ର ଝୁମ୍ପ ବଢ଼ାଇପାରେ।
ରାତିର ଭୋଜନ କେତେବେଳେ କରିବେ?
ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଭୋଜନ ଓ ଶୋଇବା ମଧ୍ୟରେ ପ୍ରାୟ ୩ରୁ ୪ ଘଣ୍ଟା ବ୍ୟବଧାନ ରଖିବା ଭଲ। ରାତିର ଭୋଜନରେ ହାଲୁକା ଏବଂ ପୌଷ୍ଟିକ ଖାଦ୍ୟକୁ ପ୍ରାଧାନ୍ୟ ଦେବା ଉଚିତ। ସବୁଜ ପନିପରିବା, ଫଳ, ଡାଲି, ପୂରା ଶସ୍ୟ ଓ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଭଲ ବିକଳ୍ପ ହୋଇପାରେ। ଡେରି ରାତିରେ ଭୋକ ଲାଗିଲେ ଚିପ୍ସ କିମ୍ବା ମିଠା ଖାଇବା ପରିବର୍ତ୍ତେ ଅଳ୍ପ ପରିମାଣରେ ପୌଷ୍ଟିକ ଖାଦ୍ୟ ନେବା ଉଚିତ।
ଏହି ଲକ୍ଷଣ ଦେଖିଲେ ସତର୍କ ହୁଅନ୍ତୁ
ଷ୍ଟ୍ରୋକ୍ର ଲକ୍ଷଣ ହଠାତ୍ ଦେଖାଦେଇପାରେ। ଯେପରିକି—
ମୁହଁର ଗୋଟିଏ ପାର୍ଶ୍ୱ ହଠାତ୍ ଝୁଲିଯିବା
ହାତ କିମ୍ବା ଗୋଡ଼ର ଗୋଟିଏ ପାର୍ଶ୍ୱ ଦୁର୍ବଳ ବା ଅସାର ହେବା
କଥା କହିବାରେ ଅସୁବିଧା
ହଠାତ୍ ଦୃଷ୍ଟିଶକ୍ତି କମିଯିବା
ଚାଲିବା ବେଳେ ସନ୍ତୁଳନ ହରାଇବା
ଏଭଳି ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ତୁରନ୍ତ ଜରୁରୀ ଚିକିତ୍ସା ସହାୟତା ନେବା ଆବଶ୍ୟକ। ଷ୍ଟ୍ରୋକ୍ରେ ଠିକ୍ ସମୟରେ ଚିକିତ୍ସା ମିଳିବା ଅତ୍ୟନ୍ତ ଜରୁରୀ। ସେହିପରି ବ୍ଲଡ୍ ପ୍ରେସର, ବ୍ଲଡ୍ ସୁଗାର ଓ କୋଲେଷ୍ଟେରଲ୍ର ନିୟମିତ ଯାଞ୍ଚ, ବ୍ୟାୟାମ, ସଠିକ୍ ଓଜନ, ପର୍ଯ୍ୟାପ୍ତ ନିଦ୍ରା ଏବଂ ତମାଖୁଠାରୁ ଦୂରେଇ ରହିବା ଷ୍ଟ୍ରୋକ୍ ପ୍ରତିରୋଧରେ ଗୁରୁତ୍ୱପୂର୍ଣ୍ଣ।



