
ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ରାଇକିଆ ବ୍ଲକ୍ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।ବିଶେଷକରି କଳିଙ୍ଗା ଘାଟି ରାସ୍ତା ବନ୍ଦ ରହିଥିବାରୁ ଗତ ଏକ ବର୍ଷ ଧରି ଗଞ୍ଜାମ ଜିଲ୍ଲା କୁ ଯାତାୟାତ ପାଇଁ କରଡ଼ା ରାସ୍ତାକୁ ବିକଳ୍ପ ମାର୍ଗ ଭାବେ ବ୍ୟବହାର କରାଯାଉଥିଲା। ତେବେ ଲଗାଣ ବର୍ଷାରେ ମାଲାଗୁଡ଼ା ନିକଟରେ ଥିବା କଲଭର୍ଟ ଧୋଇଯିବାରୁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ରାଇକିଆରୁ କରଡ଼ା, ଇନ୍ଦ୍ରଗଡ଼, ରଣବା ଓ ବଡ଼ବରବା ସମେତ ବିଭିନ୍ନ ପଞ୍ଚାୟତକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟାତ ସହ ଦୈନନ୍ଦିନ ଜୀବନଯାପନ ମଧ୍ୟ ପ୍ରଭାବିତ ହୋଇଛି।ଏଭଳି ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କାଙ୍କ ନେତୃତ୍ୱରେ ଏକ ଦଳ ବିଭିନ୍ନ ସ୍ଥାନ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଦଳରେ ନାରାୟଣ ପାତ୍ର, ରାଜମୋହନ ଦିଗାଳ, ସୁଦର୍ଶନ ବେହେରା ଓ ସୁଧାଂଶୁ ପାଣିଗ୍ରାହୀ ସାମିଲ ଥିଲେ।ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ସମସ୍ୟାର ଶୀଘ୍ର ସମାଧାନ ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ରାସ୍ତା ମରାମତି ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା





