
କ୍ରିକେଟ ପଡ଼ିଆରେ ଛକା ଓ ଚୌକା ବର୍ଷା କରୁଥିବା ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବେ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ବାହା ହେବେ ରିଙ୍କୁ । ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ହାତ ଧରି ନୂଆ ଜୀବନ ଆରମ୍ଭ କରିବେ ଭାରତୀୟ କ୍ରିକେଟର । ଆସନ୍ତା ଡିସେମ୍ବର ୪ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ । ଆଉ ଏହି ବିବାହକୁ ନେଇ ଏବେ ଉଭୟ ପରିବାରରେ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି ।ବିବାହ ଉତ୍ସବକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ରିଙ୍କୁଙ୍କ ପରିବାର ପକ୍ଷରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ରିଙ୍କୁଙ୍କ ମାଆ ବୀନା ଦେବୀ, ଭାଇ ସୋନୁ ସିଂହ ଏବଂ ଭଉଣୀ ନେହା ସିଂହ ଲକ୍ଷ୍ନୌରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କୁ ବିବାହ ନିମନ୍ତ୍ରଣ କାର୍ଡ ପ୍ରଦାନ କରିଛନ୍ତି। ଡିସେମ୍ବର ୪ ତାରିଖରେ ହେବାକୁ ଥିବା ଏହି ବିବାହରେ ଯୋଗଦେବାକୁ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ସୂଚନା ଅନୁସାରେ, ଲକ୍ଷ୍ନୌର ରାମାଡା ହୋଟେଲରେ ରିଙ୍କୁ ଓ ପ୍ରିୟାଙ୍କ ବିବାହ ଉତ୍ସବ ଆୟୋଜିତ ହେବ ।ଏହି ବିବାହରେ କ୍ରିକେଟ ଜଗତର ଅନେକ ନାମୀଦାମୀ ଖେଳାଳିଙ୍କ ସହ ରାଜନୈତିକ ଜଗତର ବହୁ ପ୍ରମୁଖ ବ୍ୟକ୍ତି ଯୋଗଦେବାର ଆଶା ରହିଛି । ତେଣୁ ଏହି ବିବାହ ଉତ୍ସବକୁ ନେଇ କ୍ରିକେଟ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ରିଙ୍କୁ ଓ ପ୍ରିୟାଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍ ରୋଚକ । ଉଭୟଙ୍କ ନିର୍ବନ୍ଧ ୨୦୨୫ ଜୁନ୍ ୮ ତାରିଖରେ ଲକ୍ଷ୍ନୌର ଦି ସେଣ୍ଟ୍ରମ୍ ହୋଟେଲରେ ହୋଇଥିଲା । ଏବେ ନିର୍ବନ୍ଧର ପ୍ରାୟ ଦେଢ଼ ବର୍ଷ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ।





