
ବୁର୍ଲା : ଫେବ୍ରୁଆରୀ ସରିନି । ଏବେଠୁ ଶୁଭିଲାଣି ଉତ୍କଟ ଜଳସଙ୍କଟର ପଦଧ୍ୱନି । ଅଧା ଓଡ଼ିଶାର ଶୋଷ ମେଣ୍ଟାଉଥିବା ହୀରାକୁଦ ଜଳଭଣ୍ଡାର ଜଳସ୍ତର ଛନକା ସୃଷ୍ଟି କଲାଣି । ଗତବର୍ଷ ତୁଳନାରେ ୧ ଫୁଟ୍ ଖସିଗଲାଣି ଜଳସ୍ତର । ଏବେ ଉପରମୁଣ୍ଡରୁ ୧୦୦୦ କ୍ୟୁସେକ୍ରୁ କମ୍ ପାଣି ଜଳଭଣ୍ଡାରକୁ ପଶୁଛି । ଜଳସେଚନ, ପାନୀୟ ଜଳଯୋଗାଣ, ଶିଳ୍ପ ଚାହିଦା ଏବଂ ବିଦ୍ୟୁତ୍ ଉତ୍ପାଦନରେ ୯୦୯୪ ହଜାର କ୍ୟୁସେକ୍ ପାଣି ଖର୍ଚ୍ଚ ହେଉଛି । ଜଳସ୍ତର ଦ୍ରୁତ ଗତିରେ ଖସୁଥିବାରୁ ଖରାଦିନେ ଭୟଙ୍କର ଜଳକଷ୍ଟ ଜଳଜଳ ହୋଇ ଦିଶିଲାଣି ।
ଗତ ନଭେମ୍ୱରରୁ ହୀରାକୁଦର ଅଣମୌସୁମୀ ଅବଧି ଆରମ୍ଭ ହେଲାଣି । ଏହି ଅବଧି ଆରମ୍ଭ ହେବାର ୩ ମାସ ନ ପୂରୁଣୁ ଜଳସଙ୍କଟ ଆଶଙ୍କା ଦେଖାଦେଲାଣି । ଗତବର୍ଷ ଫେବ୍ରୁଆରୀ ୨୧ରେ ହୀରାକୁଦ ଜଳସ୍ତର ୬୨୧.୮୯ ଫୁଟ୍ ଥିଲା । ଚଳିତ ବର୍ଷ ସମାନ ସମୟରେ ଏହା ୬୨୦.୯୫ ଫୁଟ୍ ରହିଛି । ଫେବ୍ରୁଆରୀ ଆରମ୍ଭରୁ ଅଧିକାଂଶ ଦିନ ଉପରମୁଣ୍ଡରୁ ୧୦୦୦ କ୍ୟୁସେକ୍ରୁ କମ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଛି । କଲ୍ମାର ସମସ୍ତ ଗେଟ୍ ବନ୍ଦ ଅଛି । ଶାଖା ନଦୀ କେଲା ଉପରେ ଛତିଶଗଡ଼ ନିର୍ମାଣ କରିଥିବା ଡ୍ୟାମ୍ରୁ ଟୋପାଏ ପାଣି ଆସୁନାହିଁ । ଖାଲି ସେତିକି ନୁହେଁ ଇବ୍ ନଦୀ ତଣ୍ଟିକୁ ମଧ୍ୟ ଛତିଶଗଡ଼ ସରକାର ଚିପି ଦେଇଛନ୍ତି । ସ୍ରୋତ ଶୁଖିଲା ପଡ଼ିଛି । ଏହାବାଦ୍ ଝାରସୁଗୁଡ଼ା ଦେଇ ପ୍ରବାହିତ ହେଉଥିବା ଭେଡେନ୍ ନଦୀ ଧାର ବି ଶୁଖିଗଲାଣି । ଫଳରେ ଉପର ମୁଣ୍ଡରୁ ପାଣି ଆସିବା ସମ୍ଭାବନା ଆଦୌନାହିଁ ।







