
ଭୁବନେଶ୍ୱର: ଆସନ୍ତା ୧୨ ତାରିଖ ପରେ ରାଜ୍ୟରେ ତାତି ୪୦ ଡିଗ୍ରୀ ସେଲସିୟସ୍ ଛୁଇଁବ । ୧୨ରୁ ୧୬ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ଉପକୂଳ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ୩୮ ଡିଗ୍ରୀ ହୋଇପାରେ ।
ପୂର୍ବାନୁମାନ ଅନୁସାରେ ୧୫ରୁ ୧୮ ତାରିଖ ଭିତରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ବର୍ଷା ହୋଇପାରେ । ହିମାଳୟ ଅଞ୍ଚଳରୁ ଅଧିକ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଗତ ତିନି ଦିନ ଧରି ରାଜ୍ୟର ରାତି ତାପମାତ୍ରା କମ୍ ରହୁଥିଲା । ଆସନ୍ତା ୪ ଦିନରେ ସ୍ଥିତି ବଦଳିବ ଓ ଗ୍ରୀଷ୍ମପ୍ରବାହ ହୋଇପାରେ ବୋଲି ସେ କହିଛନ୍ତି । ୧୦ ତାରିଖ ଯାଏ ବଙ୍ଗୋପସାଗର ଆଡୁ ଦକ୍ଷିଣ-ପୂର୍ବ ବାୟୁ ବହିବ । ଏଥିପାଇଁ ପାଣିପାଗ ସ୍ଥିତି ସୁଖଦ ଅନୁଭୂତି ଦେବ । ୯ ଓ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ।
ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୮ଡିଗ୍ରୀ ଥିଲା । ବଲାଙ୍ଗିରରେ ୩୭.୫, ସୁନ୍ଦରଗଡ଼ରେ ୩୭.୧, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ୩୬.୯ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୮, ସୋନପୁରରେ ୩୬.୭, ଟିଟିଲାଗଡ଼ରେ ୩୬.୫, ଭବାନୀପାଟଣାରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରହିଥିଲା । ଶୁକ୍ରବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୦ ଡିଗ୍ରୀକୁ ଖସିଥିଲା । ଝାରସୁଗୁଡ଼ାରେ ୧୨.୨, ରାଉରକେଲାରେ ୧୨.୫, ଭବାନୀପାଟଣାରେ ୧୩ ଓ ନବରଙ୍ଗପୁରରେ ପାରଦ ୧୪ ଡିଗ୍ରୀ ରହିଥିଲା ।




