
ଭୁବନେଶ୍ବର : ଖାରବେଳନଗର ବାସଭବନରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଆଜି ପୁରୀ ସ୍ଵର୍ଗଦ୍ଵାରରେ ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ। ଗତକାଲି ପ୍ରଖ୍ୟାତ କବି, ଅବସରପ୍ରାପ୍ତ ପ୍ରଶାସକ ପଦ୍ମଭୂଷଣ ରମାକାନ୍ତ ରଥଙ୍କର ସ୍ଥାନୀୟ ଖାରବେଳନଗରସ୍ଥିତ ବାସଭବନରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ରାଜନେତା, ସାହିତ୍ୟିକ ଏବଂ ଶୁେଭଚ୍ଛୁ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟ ଜଗତର ଜଣେ ସଫଳ ସ୍ରଷ୍ଟାଭାବେ ତାଙ୍କର ଥିଲା ଅନବଦ୍ୟ ଅବଦାନ। ବିଶେଷକରି ଆଧୁନିକ ସାହିତ୍ୟର ସେ ଥିଲେ ଅନନ୍ୟ ସ୍ରଷ୍ଟା। ‘ଶ୍ରୀରାଧା’ ଥିଲା ରମାକାନ୍ତଙ୍କର ଏକ ସାର୍ବଜନୀନ କବିତା ସଂକଳନ ଯାହା ସାଧାରଣ ପାଠକଙ୍କୁ ବିମୋହିତ କରିଥିଲା। ଏହାର କଳାତ୍ମକତା, ଲାଳିତ୍ୟ, ଛନ୍ଦ ଓ କାବ୍ୟାକର୍ଷଣ ଉଭୟ କବି ଓ ସମାଲୋଚକଙ୍କ ମୁଖରେ ଭରିଦେଇଥିଲା ପ୍ରଶଂସା। ଏହି ସଂକଳନ ପାଇଁ ରମାକାନ୍ତଙ୍କୁ ମିଳିଥିଲା ‘ସରସ୍ୱତୀ ସମ୍ମାନ’। ଏତଦ୍ବ୍ୟତୀତ ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’ ‘ଅନେକ କୋଠରୀ’, ‘ଶ୍ରୀ ପଳାତକ’, ‘ସୀମାନ୍ତବାସ’, ‘ଫେରି ଚାହିଁଲେ’, ‘ସବୁଦିନେ ସେପାଖେ’, ‘ନ ଯା ନ ଯା କହୁ କହୁ’, ‘ସରଳ ହୃଦଗଣିତ’, ‘ଜାହାଜ ଆସିବ ଓ ଆଉ କେତୋଟି’ ପାଇଁ ସେ ବେଶ୍ ପରିଚିତ ଥିଲେ।







