
କଟକ : ଏସ୍ସିବି ମେଡିକାଲରେ ଶିଶୁ ବଦଳକୁ ନେଇ ରୁଜୁ ମାମଲାରେ ମେଡିକାଲ ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏପ୍ରିଲ ୨ସୁଦ୍ଧା ଅଧୀକ୍ଷକ ଜବାବ ରଖିବା ନେଇ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ରତନା ବେହେରାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨କୁ ଧାର୍ୟ୍ୟ ହୋଇଛି। ୨୦୨୫ ଫେବୃଆରୀ ୧୦ରେ ଆବେଦନକାରୀଙ୍କ ପତ୍ନୀ ପ୍ରସବ ନିମନ୍ତେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ୧୧ତାରିଖ ସକାଳ ୯ଟାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ନେଇଥିଲା। ଜନ୍ମ ସମୟରେ ଶିଶୁ କନ୍ୟା ସୁସ୍ଥ ଥିଲା। ପରିବାର ଲୋକେ ଶିଶୁ କନ୍ୟାର ଫଟୋ ଉଠାଇଥିଲେ। କିଛି ସମୟ ପରେ ଶିଶୁ କନ୍ୟା ଅସୁସ୍ଥ ଥିବା ଦର୍ଶାଇ ଡାକ୍ତର ଆଇସିୟୁରେ ଭର୍ତ୍ତି କରିବା ସହ ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଥିଲେ। ୧୨ ତାରିଖ ସକାଳେ ଶିଶୁ କନ୍ୟାର ଜେଜେମା ଦେଖିବାକୁ ଆଇସିୟୁକୁ ଯାଇଥିଲେ। ଡାକ୍ତରଖାନା କର୍ମଚାରୀ ଶିଶୁ କନ୍ୟାକୁ ମୃତ ଦର୍ଶାଇବା ସହ ତତ୍କ୍ଷଣାତ୍ ଶବ ହସ୍ତାନ୍ତର କରିଥିଲେ। ଏଥିସହ ମହାନଦୀ ପଠାରେ ଶବ ସତ୍କାର ଲାଗି କୁହାଯାଇଥିଲା। ଶିଶୁକନ୍ୟାକୁ କପଡ଼ାରେ ଗୁଡ଼ାଯାଇଥିଲା। ଶିଶୁକୁ ପୋତିବା ସମୟରେ ମୁହଁ ଦେଖିବା ପରେ ଏହା ତାଙ୍କ ଶିଶୁ କନ୍ୟା ନୁହେଁ ବୋଲି ଜାଣିବାକୁ ପାଇଥିଲେ। କିଛି ସମୟ ପରେ ସନ୍ଦେହ ଜାତ ହେବାରୁ ସେ ବାଲି ଖୋଳି ଦେଖିଥିଲେ ହେଲେ ସେଠାରେ କେବଳ କପଡା ମିଳିଥିଲା। ଏସ୍ସିବିରେ ତାଙ୍କ ଶିଶୁ ବଦଳ କରାଯାଇଥିବା ନେଇ ମେଡିକାଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ମାତ୍ର କୌଣସି ସୁଫଳ ମିଳି ନଥିଲା। ପରେ ମଙ୍ଗଳାବାଗ ଥାନାଧିକାରୀ, ଡିସିପି ଓ କଟକ ଜିଲାପାଳଙ୍କ ନିକଟରେ ଆବେଦନକାରୀ ଅଭିଯୋଗ ଜଣାଇଥିଲେ; ହେଲେ କୌଣସି ସୁଫଳ ମିଳିନଥିଲା। ଏଣୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ ମାମଲାକୁ ବିଚାର ନିମନ୍ତେ ଗ୍ରହଣ କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହ ଏସ୍ସିବି ମେଡିକାଲ ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି।







