
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଭିନ୍ନକ୍ଷମଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫୦୦ ଟଙ୍କା କରିଛନ୍ତି ବିଜେପି ସରକାର। କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରି ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ କରିଛନ୍ତି। ଏଥିସହ ରାଜ୍ୟ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ସରକାରଙ୍କ ଏହି ଯୋଜନାକୁ କଟାକ୍ଷ କରିଛନ୍ତି ବିରୋଧୀ ନେତା ପ୍ରସନ୍ନ ଅଚାର୍ଯ୍ୟ। ଏପରିକି ଶ୍ରୀ ଆଚାର୍ଯ୍ୟ ‘ଆହେ ସଉଦାଗର ନିଜ ବାକ୍ୟ ନିଜେ ରକ୍ଷାକର’ କହି ସରକାରଙ୍କୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି।
ସେ କହିଛନ୍ତି ଯେ ଦୁଃଖର କଥା ହେଉଛି ସରକାର ପ୍ରକୃତରେ ନିର୍ବାଚନ ପ୍ରତିଶ୍ରୁତି ରଖିଲେ ନାହିଁ। ସମସ୍ତଙ୍କୁ ବର୍ଦ୍ଧିତ ଭତ୍ତା ନେଇ ନିର୍ବାଚନ ପୂର୍ବରୁ କହିଥିଲେ। ହେଲେ ନିର୍ବାଚନ ପରେ କେବଳ ୮୦ ବର୍ଷ ଲୋକଙ୍କୁ ଭତ୍ତା ଦେଲେ। ଏମିତି ଅନେକ କ୍ଷେତ୍ରରେ ସରକାର ନିଜ ପ୍ରତିଶ୍ରୁତି ରଖିନାହାଁନ୍ତି। ଗଣତନ୍ତ୍ରରେ ଅନାସ୍ଥା ଆସେ। ହେଲେ ଯଦି କୌଣସି ସରକାର ଏହାର ମୋଡ଼ ବଦଳାନ୍ତି, ତାହା ନିନ୍ଦନୀୟ। ଏବେ ଲୋକେ ଚାହୁଁଛନ୍ତି ନବୀନ ପଟ୍ଟନାୟକ ସେମାନଙ୍କ ଅଞ୍ଚଳକୁ ଯାଆନ୍ତୁ। ଲୋକେ ଉତ୍ସାହ ସହ ତାଙ୍କୁ ଅପେକ୍ଷା କରିଛନ୍ତି। କାରଣ ଆଜି ବି ସେ ଓଡ଼ିଶାର ଅଦ୍ୱିତୀୟ ନେତା। ଯଦିଓ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି କିନ୍ତୁ ଏହା ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବା କହି ସରକାରଙ୍କୁ ଘେରିଛନ୍ତି ଶ୍ରୀ ଆଚାର୍ଯ୍ୟ।




