
୨୦୨୫-୨୬ ବର୍ଷରେ ବଢିବ ବିଦ୍ୟୁତ୍ ବିଲ୍। ପଇସା କି ଦୁଇ ପଇସା ନୁହେଁ, ଏକା ଥରକେ ୟୁନିଟ୍ ପିଛା ୩ ଟଙ୍କା ୮୨ ପଇସାକୁ ବୃଦ୍ଧି ଲାଗି ଚାଲିଛି ଯୋଜନା। ଏକଥା ଆମେ କହୁନାହୁଁ, ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ନିକଟରେ ଗ୍ରିଡକୋ ଯେଉଁ ବାର୍ଷିକ ରାଜସ୍ୱ ଆବଶ୍ୟକତା ଦରଖାସ୍ତ ଦାଖଲ କରିଛି, ସେଥିରେ ଏଭଳି ଆତଙ୍କ ସୃଷ୍ଟିକାରୀ ତଥ୍ୟ ଲେଖିଛି। ଗ୍ରିଡକୋ ଦର୍ଶାଇଛି ଯେ, ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ୍ ବିକ୍ରି କରିବାକୁ ଯୋଜନା ରହିଛି। ପୂରା ବିଦ୍ୟୁତ୍ କିଣାବିକା ଓ ନିଜର ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ପାଖାପାଖି ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ। ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଭରଣା ହେବ। ଗ୍ରିଡକୋ ଆହୁରି କହିଛି ଯେ, ଏଥିରୁ ରିଟର୍ଣ୍ଣ ଅନ୍ ଇକ୍ୟୁଇଟିକୁ ବାଦ୍ ଦିଆଗଲେ ୧୪ ହଜାର ୮୨୦ କୋଟି ଟଙ୍କା ଆବଶ୍ୟକ ହେବ। ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୮୨ ପଇସାରୁ କମ୍ ହେଲେ ଗ୍ରିଡକୋ କ୍ଷତି ସହିବ। ୨୦୨୫-୨୬ରେ ଗ୍ରିଡକୋ ପ୍ରସ୍ତାବକୁ ଯଦି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ମାନିନିଅନ୍ତି, ତେବେ ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବଢ଼ିବ। ଆବଣ୍ଟନ କମ୍ପାନିମାନଙ୍କ ଖର୍ଚ୍ଚ ଆଦି ମିଶାଇଲେ ବିଦ୍ୟୁତ୍ ମୂଲ୍ୟ ଆହୁରି ବଢ଼ିପାରେ। କେବଳ ସେତିକି ନୁହେଁ, ଆୟୋଗଙ୍କ ନିକଟରେ ବିଦ୍ୟୁତ୍ କମ୍ପାନି ବିକ୍ରି ସମୟର ଅଡୁଆ ଉଠାଇ ୬ ହଜାର ୫୮୮ କୋଟି ଭରଣା ପାଇଁ ଦାବି ରଖିଛି ଗ୍ରିଡକୋ।
ସରକାରୀ ସଂସ୍ଥା ସ୍ପଷ୍ଟ ଭାବେ କହିଛି ଯେ ସେସୁ, ଓ୍ବେସ୍କୋ, ନେସ୍କା ଏବଂ ସାଉଥକୋ କମ୍ପାନିକୁ ଟାଟାକୁ ବିକ୍ରି କରାଯିବା ସମୟରେ ବକେୟା ଅର୍ଥ ଏଯାଏ ପରିଶୋଧ ହେଲା ନାହିଁ। ଆୟୋଗ ଗୁରୁତ୍ବର ସହିତ ଏହାକୁ ଗ୍ରହଣ କରି ଆସନ୍ତା ଦୁଇ, ତିନି ବର୍ଷ ମଧ୍ୟରେ ଅର୍ଥ ଭରଣା ଲାଗି ଦାବି କରିଛି। ପ୍ରଶ୍ନ ଉଠୁଛି, ଆୟୋଗ ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ବିଦ୍ୟୁତ୍ ଦର ବହୁଗୁଣିତ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣରେ ଆବଣ୍ଟନ କମ୍ପାନି, ଆୟୋଗ ଓ ସରକାର ବିଫଳ ହୋଇଥିଲେ ବି ବର୍ଷକୁ ବର୍ଷ ବିଦ୍ୟୁତ୍ ଦର କିନ୍ତୁ ବଢ଼ିଚାଲିଛି। ଦରଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ବିଜୁଳି ବିଲ୍ ବଢ଼ିଲେ ବୋଝ ଉପରେ ନଳିତା ବିଡ଼ା ପରି ହେବ।




