
ଭୁବନେଶ୍ବର : ଖରିଫ ଧାନ ସଂଗ୍ରହ ୨୦୨୬-୨୭ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଲକ୍ଷ ୧୮ହଜାରରୁ ଅଧିକ ଚାଷୀ ନାମ ପଞ୍ଜୀକରଣ କରିସାରିଲେଣି। ବିଶେଷକରି ଶୁକ୍ରବାର ୧ ଲକ୍ଷରୁ ଅଧିକ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ପ୍ରକ୍ରିୟା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ କୃଷି ସମବାୟ ସମିିତି(ପାକ୍ସ), ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲାମ୍ପ୍ସ) ଓ ପାଣି ପଞ୍ଚାୟତରେ ପଞ୍ଜୀକରଣ କରାଯାଉଛି।
ସୂଚନା ମୁତାବକ, ବରଗଡ଼ ଜିଲାରେ ପ୍ରାୟ ୭୫ହଜାର, ବାଲେଶ୍ୱରରେ ୫୦ହଜାର, କଳାହାଣ୍ଡିରେ ୪୯ହଜାର, ଗଞ୍ଜାମରେ ୪୯ହଜାର ଓ ବଲାଙ୍ଗିରରେ ପ୍ରାୟ ୩୧ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ରାଜ୍ୟର ୨୯୧୨ଟି ପାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜୀକରଣ କାର୍ଯ୍ୟ ଚାଲିଛି। ଚଳିତ ପଞ୍ଜୀକରଣ ପ୍ରକ୍ରିୟା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯାଉଛି।




