
ସାମ୍ନାକୁ ଆସିଲା ଠକ ଯୋଡି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ଅଫିସରେ କାର୍ଯ୍ୟ କରୁଥିବା ପୂର୍ବତନ କର୍ମଚାରୀଙ୍କ ବୟାନ୍। କେମିତି ଅନୀଲ ମହାନ୍ତିଙ୍କ କମ୍ପାନୀ ଜରିଆରେ ହଂସିତା ବିଭିନ୍ନ ବହୁ ରାଷ୍ଟ୍ରୀୟ କମ୍ପାନୀର ସିଏସ୍ଆର୍ ଫଣ୍ଡ ହାତେଇଥିଲେ, ତାହାର ଗୁମର ଖୋଲିଛନ୍ତି। ଖାଲି ସତିକି ନୁହେଁ, ବଡ଼ବଡ଼ିଆଙ୍କ ଫଟୋ ସହ ନିଜ ଫଟୋ ଏଡିଟିଂ କରି ଯୋଡ଼ି କିଭଳି କାରନାମା କରୁଥିଲେ ତାହାର ମଧ୍ୟ ଖୁଲାସା କରିଛନ୍ତି ପୂର୍ବତନ କର୍ମଚାରୀ ଜଣକ। ହଂସିତା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X (ଛଦ୍ମନାମ) ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିତା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା। ସେଇଠି ଆମେ ପରିଚିତ ହୋଇଥିଲୁ। ଏହାପରେ ଅନୀଲ ମହାନ୍ତିଙ୍କ କମ୍ପାନୀରେ ଚାକିରି କରିବା ପାଇଁ ମୁଁ ହଂସିତା ମାଡ଼ାମଙ୍କୁ ଅନୁରୋଧ କରିଥିଲି। ସେ ମୋ’ କଥାରେ ରାଜି ହୋଇ ୨୦୨୩ ମସିହା ଡିସେମ୍ୱର ଅଫିସ୍ରେ ଚାକିରି ଦେଇଥିଲେ। ମାସକ ୩୫ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଏଥିପାଇଁ କୌଣସି ନିଯୁକ୍ତିପତ୍ର ଦେଇନଥିଲେ। ଅନୀଲ ମହାନ୍ତି ଆଣ୍ଡ କମ୍ପାନୀର ଅଫିସ୍ ଏକ୍ଜିକ୍ୟୁଟ୍ ଭାବେ ରଘୁନାଥପୁରରେ ଥିବା ଅଫିସ୍ରେ କାମ କରୁଥିଲି। ସେହି ସମୟରେ ଅନୀଲ ମହାନ୍ତି ଓ ହଂସିତା ମାଡ଼ାମ ଉଭୟ ସାଙ୍ଗ ହୋଇ ଅଫିସ୍ ଆସୁଥିଲେ। ହଂସିତା ମାଡ଼ାମଙ୍କୁ ଅନୀଲ ମହାନ୍ତି ନିଜର ବିଜ୍ନେସ୍ ପାର୍ଟନର ବୋଲି କହୁଥିଲେ।







