
ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ବନ୍ୟା, ଯାତାୟାତ ବାଧା, ଭୂସ୍ଖଳନ ଏବଂ ଫସଲ କ୍ଷତି ସମ୍ଭାବ୍ୟ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି । ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ପ୍ରଭାବରେ, ଅଗଷ୍ଟ ୨୯ ପର୍ୟ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଆଜି ଭଦ୍ରକ ଜିଲ୍ଲାର କିଛି ବ୍ଲକରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି ।
ଆଜି ସାରା ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବ । ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ଝଡି଼ ପବନ ବହିବ । ଏହି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷ ପାଇଁ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ସୋନପୁର, ବଲାଙ୍ଗୀର, ନୟାଗଡ଼ା, ଅନୁଗୋଳ, ଦେବଗଡ଼, କେନ୍ଦୁଝର, ମାଲକାନଗିରି ଓ ବାଲେଶ୍ବର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବୁଧବାର ଦିନ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।




