
ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ (NIRF ) ରାଙ୍କିଂ ତାଲିକା । NIRF ରାଙ୍କିଂ ତାଲିକାରେ ଶୀର୍ଷରେ ରହିଛି IIT ମାଡ୍ରାସ । ସେହିପରି IISC ବେଙ୍ଗାଲୁରୁ ଶ୍ରେଷ୍ଠ ବିଶ୍ବ ବିଦ୍ୟାଳୟ, ଟପ୍ ମ୍ୟାନେଜମେଣ୍ଟ ତାଲିକାରେ IIM ଅହମ୍ମଦାବାଦ ଶୀର୍ଷରେ ଥିବା ବେଳେ କଲେଜ ତାଲିକାରେ ଶୀର୍ଷରେ ରହିଛି ହିନ୍ଦୁ କଲେଜ । ସାମଗ୍ରିକ ରାଙ୍କିଂର ଟପ୍-୧୦୦ ମଧ୍ୟରେ ଓଡ଼ିଶାର ୫ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ‘ସୋଆ’ ଆଗରେ ରହିଛି ।ଟପ୍ ୧୦୦ ସାମଗ୍ରିକ ଶିକ୍ଷାନୁଷ୍ଠାନ ରାକିଂରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୨୫ ତମ ସ୍ଥାନରେ ଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ୨୭ ତମ ଓ ଏନ୍ଆଇଟି ରାଉରକେଲା ୩୪ ତମ ସ୍ଥାନରେ ରହିଛି । ସେହିପରି ଭାବରେ IIT ଭୁବନେଶ୍ୱର ୩୪ ରାଙ୍କରେ ରହିଥିବା ବେଳେ ଏମ୍ସ ଭୁବନେଶ୍ୱର ୧୦୦ ତମ ରାଙ୍କରେ ସ୍ଥାନ ପାଇଛି ।ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ ସାଇନ୍ସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀର ଜେଏନୟୁ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ବିଶ୍ୱବିଦ୍ୟାଳୟ ବର୍ଗରେ ବି ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ । ଏଥିରେ ଘରୋଇ ଶିକ୍ଷାନୁଷ୍ଠାନ ଭାବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୧୫ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ୧୭ ତମ ସ୍ଥାନରେ ରହିଥିବା ବୋଲି ଏନଆଇଆର୍ଏଫ୍ ରାଙ୍କିଂରେ ପ୍ରକାଶ ପାଇଛି ।ଷ୍ଟେଟ୍ ପବ୍ଲିକ ୟୁନିଭରସିଟି କ୍ୟାଟାଗୋରୀରେ କଲିକତା ସ୍ଥିତ ଜାଭେଦପୁର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ୪୮ ତମ ସ୍ଥାନରେ ରହିଛି । ତେବେ ଗତବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ୪୨ ରାଙ୍କରେ ସ୍ଥାନ ପାଇଥିଲା । ସେହିଭଳି ଦେଶର ଶ୍ରେଷ୍ଠ ୧୦୦ କଲେଜ ଭିତରେ ଓଡ଼ିଶାର କୌଣସି ଗୋଟିଏ ବି କଲେଜ ସ୍ଥାନ ପାଇନାହିଁ ବୋଲି ଏନଆଇଆର୍ଏଫରେ ପ୍ରକାଶ ପାଇଛି ।ସେହିପରି ଭାବରେ ଶ୍ରେଷ୍ଠ ୧୦୦ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସମ୍ବଲପୁର ୩୪ ସ୍ଥାନରେ ରହିଥିବା ବେଳେ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ୪୫ତମ ସ୍ଥାନରେ ରହିଛି । ଶିକ୍ଷା ଓ ଅନୁସନ୍ଧାନ ୬୬ ସ୍ଥାନରେ ରହିଥିବା ବେଳେ କିଟ୍ ରହିଛି ୬୮ ସ୍ଥାନରେ । ସେହିପରି ଭାବରେ ଆଇଏମଆଇ ଭୁବନେଶ୍ୱରର ୯୪ ସ୍ଥାନରେ ରହିଛି ।







