
ଦେବଗଡ଼:ଦେବଗଡ ଜିଲ୍ଲାରେ ବଜାରରେ ପିଆଜ ଦର କେଜି ପ୍ରତି ୫୦ ଟଙ୍କା ଛୁଇଁଲାଣି।ଏହାସହିତ ଆଗକୁ ପିଆଜଦର ଆହୁରି ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।ଆଗରୁ ପିଆଜ ଦର ୨୦ରୁ ୩୦ଟଙ୍କା ଭିତରେ ରହୁଥିଲା।କିନ୍ତୁ ହଠାତ ଚଳିତ ମାସରେ ପିଆଜ ଦର ବୃଦ୍ଧି ପାଇ ତାହା ୫୦ ଟଙ୍କାରେ ପଂହଚିଛି ।ଜିଲ୍ଲାର ରିଆମାଳ ଅଂଚଳରେ ଚାଷୀମାନେ ପିଆଜ ଚାଷ କରି ବେଶ ଲାଭବାନ ହୁଅନ୍ତି। ଚଳିତ ବର୍ଷ ବର୍ଷା ଯୋଗୁଁ ଉକ୍ତ କ୍ଷତିଗ୍ରସ୍ତ ହୋଇଥିବାବେଳେ ସରକାରୀ ପ୍ରୋତ୍ସାହନ ଅଭାବରୁ ଉକ୍ତ ଚାଷ କରିବା ପାଇଁ ଚାଷୀମାନେ ବିମୁଖ ହେଉଥିବା ଦେଖିବାକୁ ମିଳୁଛି ।ସୂଚନା ଅନୁଯାୟୀ, ଜିଲ୍ଲାର ରିଆମାଳ ଅଂଚଳର ମାଟି ପିଆଜ ଚାଷ ପାଇଁ ଉକୃଷ୍ଟ ହୋଇଥିବା ଯୋଗୁଁ ଉକ୍ତ ଅଂଚଳର ଚାଷୀମାନେ ପିଆାଜ ଚାଷ କରିଥାନ୍ତି। ରିଆମାଳ ବ୍ଲକର ମହେଳିପଡା, ବୁଡିଦୋ, ରିଆମାଳ , ଟିଙ୍କବୀର, ତିମୁର, ରେଙ୍ଗାଲବାହାଳ, ନାଉଲିପଡା ତଥା ଆଖପାଖ ଅଂଚଳରେ ଚାଷ ଜମିରେ ଚାଷୀମାନେ ପିଆଜ ଚାଷ କରିଥାନ୍ତି।ପ୍ରତ୍ୟେକ ବର୍ଷ ଅକ୍ଟୋବର ରୁ ନଭେମ୍ବର ମାସରେ ଚାଷୀମାନେ ପିଆଜ ଚାଷ ଆରମ୍ଭ କରିଥାନ୍ତି। ବର୍ତ୍ତମାନ କିଛି ଚାଷୀ ସରକାରୀ ସହାୟତାରେ ମଞ୍ଜି ପାଇ ଚାଷ କରିଥାନ୍ତି, ତ ଆଉ କିଛି ଚାଷୀ ନିଜସ୍ବ ଖର୍ଚ୍ଚରେ ଉକ୍ତ ଚାଷ କରନ୍ତି। ଅନ୍ୟପଟେ ଏପ୍ରିଲ ଓ ମେ ମାସରେ ପିଆଜ ଅମଳ ହେବା ପରେ ଚାଷୀମାନେ ବଜାରରେ ବିକ୍ରି କରିବା ଆରମ୍ଭ କରିଥାନ୍ତି । ପିଆଜ ଚାଷର ବିକାଶ କରାଯାଇ ରାଜ୍ୟସରକାର ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ପ୍ରୋତ୍ସାହନ କରିବା ସହ ଉନ୍ନତ ପିଆଜ ଚାଷ ପ୍ରଣାଳୀ ,ବିହନ ଓ କୀଟନାଶକ ଯୋଗାଇ ଦେଲେ ପିଆଜ ଚାଷର ଅଭିବୃଦ୍ଧି ଘଟିବ। କିନ୍ତୁ ପିଆଜ ଚାଷ ନିମନ୍ତେ ଜିଲ୍ଲାପ୍ରଶାସନ ଓ ଉଦ୍ୟାନ ବିଭାଗ ପକ୍ଷରୁ ଯେତକି ପ୍ରୋତ୍ସାହନ ତଥା ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିବା କଥା ସେତିକି ପ୍ରଦାନ କରାଯାଉନଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ପିଆଜ ଚାଷ ଉନ୍ନତି ନିମନ୍ତେ ଚାଷୀମାନଙ୍କୁ ପିଆଜ ଘର ପ୍ରଦାନ କରାଯାଇଥିଲା। ତାହା ବି ବର୍ତ୍ତମାନ ରକ୍ଷାଣବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି।ତାସହିତ ଉପଯୁକ୍ତ ମାର୍କେଟ ୟାର୍ଡ ବ୍ୟବସ୍ଥା ଏବଂ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯାଇ ପିଆଜ ସହିତ ଜିଲ୍ଲାରୁ ଉପାଦିତ ଅନ୍ୟ ପନିପରିବା ମଧ୍ୟ ଉକ୍ତ ଶୀତଳଭଣ୍ଡାର ମହଜୁଦ ରଖାଯାଇପାରିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ଚାଷର ବିକାଶ କରାଗଲେ ପିଆଜ ମହଜୁଦ ରଖାଗଲେ ଆଗାମୀ ଦିନ ମାନଙ୍କରେ ଦେଖାଦେଉଥିବା ପିଆଜର ଅଭାବୀ ବିକ୍ରି ସମୟରେ ଉକ୍ତ ମହଜୁଦ ରଖାଯାଇଥିବା ପିଆଜକୁ ବ୍ୟବହାର କରାଯାଇ ପାରିବ ଏବଂ ଦରଦାମ ବୃଦ୍ଧିକୁ ରୋକା ଯାଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।




