
ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ସ୍ଥଳଭାଗ ଛୁଇଁବ ସମ୍ଭାବ୍ୟ ଅତି ଭୀଷଣ ବାତ୍ୟା । ଆନ୍ଧ୍ରର ବପାଟଲା ଓ ବିଶାଖାପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁଲା ବେଳେ ଏହା ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ସେ ସମୟରେ ପବନର ବେଗ ୧୧୫ରୁ ୧୨୫ କି.ମି. ଓ ଝଟକା ପବନ ୧୪୦ କି.ମି. ପ୍ରତି ଘଣ୍ଟା ବହିବା ନେଇ ଆକଳନ କରାଯାଇଛି । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ୫ ଜିଲ୍ଲାକୁ ମନ୍ତ୍ରୀ ଓ ଅଧିକାରୀ ଯିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଏହା ଆଜି ଗଭୀର ଅବପାତରେ ପରିଣତ ହେବ । ୨୬ରେ ସାମୁଦ୍ରିକ ଝଡ଼ ଓ ୨୭ରେ ଅଧିକ ଶକ୍ତିଶାଳୀ ଓ ୨୮ରେ ଆନ୍ଧ୍ରପ୍ରଦେଶ ଉପକୂଳ ପହଞ୍ଚିବ । ଓଡ଼ିଶାରେ ପ୍ରଭାବ ପଡ଼ିବାକୁ ଥିବା ଜିଲ୍ଲା ଗୁଡ଼ିକ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଆଜି ୫ ଜିଲ୍ଲାକୁ ପୂର୍ବରୁ କାମ କରିଥିବା ଓ ଅଭିଜ୍ଞତା ଥିବା ଅଧିକାରୀ ଜିଲ୍ଲାକୁ ଯିବେ । ସେମାନେ ଜିଲ୍ଲାପାଳଙ୍କୁ ସହଯୋଗ କରିବେ । ସେମାନଙ୍କୁ ସମୂର୍ଣ୍ଣ କ୍ଷମତା ସହ ପଠାଯିବ ଯେଉଁଭଳି ଭାବେ ସେମାନେ ଆବଶ୍ୟକ ସ୍ଥଳେ ନିଷ୍ପତ୍ତି ନେବେ । ଏହା ସହ ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ଜିଲ୍ଲାଗୁଡ଼ିକରେ ପହଞ୍ଚିବେ। ଗଞ୍ଜାମ , ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ଲେବେଲ ୨ ରେ ରଖାଯାଇଛି। ସାରା ଓଡ଼ିଶାକୁ ନେଇ ଆମେ ପ୍ରସ୍ତୁତ ଅଛୁ । ବର୍ଷା ପାଣି ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଉଛି। ରାଜ୍ୟବାସୀ ବିଚଳିତ ହୁଅନ୍ତୁ ନାହିଁ। ସମସ୍ତ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ଆସୁଥିବା ସମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି, ପରବର୍ତ୍ତୀ ରିଲିଫ୍ ପରିଚାଳନା, ପୁନରୁଦ୍ଧାର ସହ ସୁପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୫ ଜଣ ବରିଷ୍ଠ ଆଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ଦିଆଯାଇଛି। ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାୟଗଡ଼ା ଜିଲ୍ଲା, ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲା, ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲା, ୟେଦ୍ଦୁଲା ବିଜୟ ମାଲକାନଗିରି ଜିଲ୍ଲା,ମହେଶ୍ୱର ସ୍ୱାଇଁଙ୍କୁ ନବରଙ୍ଗପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି।







