
ନୂଆଦିଲ୍ଲୀ: ଜନ୍ତରମନ୍ତରଠାରେ ପ୍ରତିବାଦ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ତାଙ୍କ ସହଯୋଗୀ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ନୂଆଦିଲ୍ଲୀରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ସେପଟେ ପ୍ରତିବାଦ ପୂର୍ବରୁ ଶନିବାର ସକାଳେ ଗୁରୁଗ୍ରାମ ପୋଲିସ YouTuber ଧ୍ରୁବ ରାଠିଙ୍କୁ ଅଟକ ରଖିଛି ।
ଅଭିଜିତ୍ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଟକ ରଖାଯାଇଛି । ପୋଲିସ କର୍ମଚାରୀମାନେ ସେମାନଙ୍କୁ ନେବା ପାଇଁ ବିମାନ ବାହାରେ ଅପେକ୍ଷା କରିଥିଲେ । ଆନ୍ଦୋଳନକୁ ପଣ୍ଡ କରିବା ପାଇଁ ଦିଲ୍ଲୀରେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କଟକଣା ମଧ୍ୟରେ ଦୀପକେ ଏବଂ ତାଙ୍କ ଦଳ ଆଜି ଜନ୍ତରମନ୍ତରରେ ସିଜେପି ପ୍ରତିବାଦର ନେତୃତ୍ୱ ନେବେ ବୋଲି ଆଶା କରାଯାଉଥିଲା । ଭୋଟର ତାଲିକାରେ ଅନିୟମିତତା ଅଭିଯୋଗରେ ଡାକରା ଦିଆଯାଇଥିବା ପ୍ରତିବାଦ ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଅଟକ ରଖାଯାଇଥିବା ରିପୋର୍ଟ ଆସିଛି । ପ୍ରତିବାଦକାରୀମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି ।ଅଭିଜିତ୍ ଦୀପକେଙ୍କୁ ଦିଲ୍ଲୀ ପୋଲିସ ଅଧିକାରୀ ଅଟକ ରଖିବା ବେଳେ ସେ କହିଛନ୍ତି,”ମୁଁ ଏଠାକୁ ଗିରଫ ହେବାକୁ ଆସିଛି; ମୋତେ ଗିରଫ କର । ମୁଁ ତୁମ ସମସ୍ତଙ୍କୁ ଭୟ କରେ ନାହିଁ ।”
ପ୍ରତିବାଦ ପୂର୍ବରୁ ଧ୍ରୁବ ରାଠି ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ଜାତୀୟ ରାଜଧାନୀରେ ଲାଗୁ ହୋଇଥିବା ବ୍ୟାପକ ସୁରକ୍ଷା କଟକଣା ଉପରେ ସାଧାରଣରେ ପ୍ରଶ୍ନ ଉଠାଇଥିଲେ । ଗୁରୁଗ୍ରାମର ସେକ୍ଟର 56 ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସେ ପ୍ରଦର୍ଶନରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି ।
ଦିଲ୍ଲୀରେ ପାଖାପାଖି 25,000 ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଅତି କମରେ 45ଟି ମେଟ୍ରୋ ଷ୍ଟେସନରେ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲାଗିଛି । ପ୍ରତିବାଦ ଅଞ୍ଚଳ ଏବଂ ଏହାର ଆଖପାଖରେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ ରହିଛି । ପ୍ରତିବାଦ ପୂର୍ବରୁ ଦିଲ୍ଲୀର ସୀମା, ରେଳ ଷ୍ଟେସନ, ବସ୍ ଟର୍ମିନାଲ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ କଡ଼ା ନଜର ରଖାଯାଇଛି ।








