
ଆଲୋକର ପର୍ବରେ ମାଳମାଳ ଅଘଟଣ। ଦୁଃଖ ଆଣିଦେଲା ବାଣଫୁଟା ଖୁସି । କେଉଁଠି ବାଣ ଫୁଟାଇବା ବେଳେ ହାତ ଓ ଗୋଡ଼ରେ ଗୁରୁତର ଆଘାତ, ତ ଆଉ କେଉଁଠି ଦୀପ ନିଆଁରେ ଜଳିଗଲେ ଯୁବତୀ। ରାଜଧାନୀ ଭୁବନେଶ୍ୱରରେ ୪୦ରୁ ଅଧିକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାହାର ହାତରେ ଗୁରୁତର ଆଘାତ ତ ଆଉ କାହାର ଗୋଡ଼ରେ। ପୁଣି କାହା ଶରୀରରେ ଲାଗିଛି ବାଣର ଆଘାତ। ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ସେପଟେ ବାଲେଶ୍ୱର ଜିଲ୍ଲା ସୋରରେ ମଧ୍ୟ ବାଣ ଫୁଟାଇବା ହେଲା କାଳ।
ପୌରପାଳିକା ଓ ବିଭିନ୍ନ ଗ୍ରାମାଞ୍ଚଳରେ ବାଣ ବିସ୍ଫୋରଣରେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳା ମଧ୍ୟ ରହିଛନ୍ତି। ଅଧିକାଂଶଙ୍କ ହାତରେ ବାଣ ଫୁଟି ଆଘାତ ଲାଗିଛି। ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଛି। ଅନ୍ୟପଟେ ନୟାଗଡ଼ରୁ ଆସିଛି ଆଉ ଏକ ଚିନ୍ତାଜନକ ଖବର। ରାଜ ବଗିଚା ସାହିରେ ଦୀପ ନିଆଁରେ ଜଣେ ଯୁବତୀ ଜଳି ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୟାଗଡ଼ରେ ଚିକିତ୍ସା କରାଯାଇଥିବାବେଳେ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେପଟେ କଟକ ଏସସିବିରେ ମଧ୍ୟ ୪୦ରୁ ଅଧିକ ଆହତ ଭର୍ତ୍ତି ହୋଇଛନ୍ତି।





