
ଭୁବନେଶ୍ୱର: ମାଣ୍ଡିଆ, ଯଅ ଓ ବାଜରାରେ ତିଆରି ହେବ ମଦ । ମହୁଲ ଫୁଲରୁ ଉତ୍ତମ ମାନର ଫ୍ଲେଭରଯୁକ୍ତ ମଦ ପ୍ରସ୍ତୁତ କରାଯାଇ ରାଜ୍ୟ ବାହାରେ ବିକ୍ରି ହେବ । ରାଜ୍ୟ ଅବକାରୀ ନୀତି ୨୦୨୫-୨୬ ପ୍ରଣୟନ ପାଇଁ ଚିଠା ପ୍ରସ୍ତାବ ଉପରେ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ଅତିଥି ଭବନରେ ଆୟୋଜିତ ଏହି ବୈଠକ ପରେ ଶ୍ରୀ ହରିଚନ୍ଦନ କହିଛନ୍ତି ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମିଲେଟ୍ ୱାଇନ୍ ପ୍ରସ୍ତୁତ କରିବ । ରାଜ୍ୟରେ ଏକ ସ୍ୱଚ୍ଛ ଅବକାରୀ ନୀତି ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସଂପୃକ୍ତ ଅଂଶୀଦାରଙ୍କ ସମେତ ରାଜ୍ୟବାସୀ ଉପକୃତ ହୋଇପାରିବେ ଏ ନେଇ ବ୍ୟବସ୍ଥା କରାଯାଉଛି ।
ନୂଆ ଅବକାରୀ ନୀତିରେ ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍ ଅଫ୍ ଡୁଇଂ ବିଜିନେସ୍, ବ୍ୟବସ୍ଥାରେ ସ୍ୱଚ୍ଛତା, ମିଲେଟ୍ ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲର ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଛି । ଶୁଦ୍ଧ ମଦ ପ୍ରସ୍ତୁତ ଓ ଅପମିଶ୍ରଣ ରୋକିବାକୁ ଯୋଜନା ହେଉଛି । ଅଶୋଧିତ ଭାବେ ରାଜ୍ୟରେ ମହୁଲି ମଦର ପ୍ରଚଳନ ହେଉଛି । ମହୁଲିରୁ ପ୍ରସ୍ତୁତ ଦେଶୀ ମଦ ୧୫ ଦିନରୁ ଅଧିକ ଗଚ୍ଛିତ ରଖିବା ସମ୍ଭବ ହେଉନି । କିଛି ନିବେଶକ ରାଜ୍ୟର ମିଲେଟ୍ ମଦ କାରଖାନା ବସାଇବାକୁ ଯୋଜନା କରିଛନ୍ତି । ବିଭିନ୍ନ ଫ୍ଲେଭରଯୁକ୍ତ ମିଲେଟ ମଦ ପ୍ରସ୍ତୁତ କରାଯିବ । ସେପଟେ ରାଜ୍ୟରୁ ଉତ୍ପାଦିତ ମଦ ବାହାର ରାଜ୍ୟ ସହ ବିଦେଶକୁ ରପ୍ତାନି କରିବାକୁ ଯୋଜନା କରିଛି ରାଜ୍ୟ ଅବକାରୀ ବିଭାଗ । ନିବେଶକମାନଙ୍କୁ ପ୍ରୋତ୍ସାହନ ପାଇଁ ଶିଳ୍ପ ବିଭାଗର ସହମତି ଲୋଡିଛି ଅବକାରୀ ବିଭାଗ ।







