
ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଏହି ୬ଟି ଜିଲ୍ଲାରେ ବିଶେଷ ନଜର ରଖିବାକୁ କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି l
୨୦୨୫-୨୬ ଫସଲ ଋତୁରେ ଏହି ୬ଟି ଜିଲ୍ଲାର ୪୧ଟି ଥାନା ଅଧୀନରେ ୩୬,୫୦୮.୭୯୨ ଏକର ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ମୋଟ ୧,୬୩୧ଟି GPS-ମ୍ୟାପ୍ଡ୍ ଜମି ଖଣ୍ଡ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୬,୬୩୨.୧୯୭ ଏକର ସରକାରୀ ରାଜସ୍ୱ ଜମି ବୋଲି ଜଣାପଡ଼ିଛି।
ପୂର୍ବରୁ ଚାଷ ନଷ୍ଟ କରାଯାଇଥିବା ଅଞ୍ଚଳରେ ପୁଣିଥରେ ଗଞ୍ଜେଇ ଚାଷ ହେବାର ଆଶଙ୍କା ରହିଛି। ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ସମାନ ସରକାରୀ ଜମିକୁ ପ୍ରତିବର୍ଷ ଚାଷ ପାଇଁ ବ୍ୟବହାର କରାଯାଉଥିବାରୁ ଏହି ସ୍ଥାନଗୁଡ଼ିକରେ ନିରନ୍ତର ନଜର ରଖାଯିବ। ୨୦୨୫ ନଭେମ୍ବରରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଚାଷ ନଷ୍ଟ କରାଯାଇଥିବା ସ୍ଥାନଗୁଡ଼ିକର GPS କୋ-ଅର୍ଡିନେଟ୍ ପୁଲିସ ବିଭାଗ ପକ୍ଷରୁ ରାଜସ୍ୱ ବିଭାଗକୁ ଦିଆଯାଇଛି। ଏହାକୁ ଆଧାର କରି ଆଗାମୀ ଦିନରେ ଅଧିକ ନଜର ରଖାଯିବ ।
ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ତହସିଲଦାର, ଅତିରିକ୍ତ ତହସିଲଦାର,ରାଜସ୍ୱ ନିରୀକ୍ଷକ (RI) ଓ ରାଜସ୍ୱ ସୁପରଭାଇଜରମାନଙ୍କୁ ସମନ୍ଵିତ ପଦକ୍ଷେପ ନେବାକୁ କୁହାଯାଇଛି l ପୂର୍ବରୁ ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ଓ ନଷ୍ଟ କରାଯାଇଥିବା ସମସ୍ତ ସରକାରୀ ରାଜସ୍ୱ ଜମି ଉପରେ ନିରନ୍ତର ନଜର ତଥା ସତର୍କ ଦୃଷ୍ଟି ରଖିବା ସହ ଗାଁ ଏବଂ ପ୍ଲଟ୍ ଅନୁଯାୟୀ ସମ୍ପୃକ୍ତ ଜମିର ବିବରଣୀ ସହ GPS କୋ-ଅର୍ଡିନେଟ୍ ସଂଗ୍ରହ କରି ପୂର୍ବରୁ ପ୍ରସ୍ତୁତ ରହିବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସରକାରୀ ରାଜସ୍ୱ ଜମିରେ ପୁନର୍ବାର ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ହେଲେ ତୁରନ୍ତ ସମ୍ପୃକ୍ତ ଥାନା, STF କିମ୍ବା ANTFକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ରହିଛି ।
ଗଞ୍ଜେଇ ମାଫିଆଙ୍କୁ କୌଣସି ରାଜସ୍ୱ ଅଧିକାରୀ ସହଯୋଗ କରୁଥିବାର ପ୍ରମାଣ ମିଳିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।NDPS Act, ୧୯୮୫ର ଧାରା ୪୭ ଅନୁଯାୟୀ ଆବଶ୍ୟକ ଆଇନଗତ ପଦକ୍ଷେପ ପାଇଁ ସମ୍ପୃକ୍ତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ ତୁରନ୍ତ ସୂଚନା ପହଞ୍ଚାଇବା ସହ ସ୍ଥାନୀୟ ପୁଲିସ ପ୍ରଶାସନ ସହ ସମନ୍ୱୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।




