
ଭୁବନେଶ୍ୱର: ନାରୀ ସୁରକ୍ଷାର ନାରା ଦେଇ ସରକାରଙ୍କୁ ହରଡ଼ ଘଣାରେ ପକାଇ ଆସୁଥିଲେ। ହେଲେ ନିଜ ଦଳର ଛାତ୍ର ନେତା ବଳାତ୍କାର ଅଭିଯୋଗରେ ଗିରଫ ପରେ ଏବେ ଅଡୁଆ ସ୍ଥିତିରେ କଂଗ୍ରେସ। ବଳାତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଗିରଫଦାରିକୁ ନେଇ ଘେରିଛି ବିଜେପି। ଏହି ସମୟରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଉଦିତ ପ୍ରଧାନ। ସେ କହିଛନ୍ତି, ଏହା ବିଜେପି ସରକାରର ପ୍ଲାନ୍। ଏବିଭିପି ଯୋଜନା କରି ଫସେଇ ଦେଇଛି। ମେଡିକାଲ ରିପୋର୍ଟ ଆସିଲେ ସତ୍ୟତା ଜଣାପଡିବ। ଆଗକୁ ନିର୍ବାଚନ ଆସୁଛି, ସେଥିପାଇଁ ମୋତେ ଫସାଯାଉଛି। ସେ ଯୁବତୀ କିଏ ମୁଁ ଜାଣିନାହିଁ। ମେଡିକାଲ ରିପୋର୍ଟ ଆସିଲେ ସତ ଜଣାପଡିବ ବୋଲି କହିଛନ୍ତି ଉଦିତ।
ଅନ୍ୟପଟେ ଗିରଫ ପରେ ଜେଲ ଯାଇଛନ୍ତି ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ। ବଳାତ୍କାର ଅଭିଯୋଗରେ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ। ଗିରଫ ପରେ ଉଦିତ୍ ପ୍ରଧାନଙ୍କୁ ନିଲମ୍ବନ କରିଥିଲା କଂଗ୍ରେସ।
ସୂଚନାଯୋଗ୍ୟ, ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିବା ଅଭିଯୋଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ରବିବାର ରାତିରେ ଗିରଫ କରିଛି। ଉଦିତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ଅଭିଯୋଗ ଅନୁଯାୟୀ, ପୀଡ଼ିତା ହେଉଛନ୍ତି ଚନ୍ଦକା ଥାନା ଅଞ୍ଚଳର। ସେ ଓ ତାଙ୍କର ଜଣେ ସାଙ୍ଗ ଅନ୍ୟ ଜଣେ ଯୁବକଙ୍କ ସହ ଗତ ମାର୍ଚ୍ଚ ୧୮ ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନକୁ ବୁଲି ଯାଇଥିଲେ। ଏହାପରେ ସେଠାରେ ଉଦିତ୍ ସେମାନଙ୍କ ଗାଡ଼ିରେ ଆସି ବସିଥିଲେ। ତାଙ୍କୁ ବୁଲେଇ ନେବାକୁ କହି ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ଉଦିତ ଓ ଅନ୍ୟମାନେ ମଦ୍ୟପାନ କରିଥିଲେ। ଉଦିତ ତାଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେବା ପରେ ତାଙ୍କ ମୁଣ୍ଡ ବୁଲେଇଥିଲା। ସେ ଘରକୁ ଯିବାକୁ ଚେଷ୍ଟା କରିବାରୁ ଉଦିତ ଓ ଅନ୍ୟମାନେ ତାଙ୍କୁ ଛାଡ଼ି ନ ଥିଲେ। ତାଙ୍କୁ ନିଶା ହୋଇଯିବା ପରେ ଉଦିତ ତାଙ୍କୁ ବଳାତ୍କାର କରିଥିଲେ। ପ୍ରାୟ ୩୦ମିନିଟ ପରେ ତାଙ୍କ ଆଖି ଖୋଲିବାରୁ ଏ ବିଷୟରେ ସେ ଜାଣିପାରିଥିଲେ। ଉଦିତ ତାଙ୍କୁ ଧମକ ଦେବାରୁ ସେ ଚୁପ ରହିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ନାରୀଙ୍କୁ ନ୍ୟାୟ ଦେବା ଅଭିଯାନ ଚାଲିଥିବା ବେଳେ ପୀଡ଼ିତା ସାହସ କରି ଏତଲା ଦେଇଛନ୍ତି ବୋଲି ଜଣାଇଛନ୍ତି।