
ଭୁବନେଶ୍ଵର : କଟକ ବଡ଼ ମେଡିକାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୧୦ ଜୀବନ। ଏ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେମିତି ଅଗ୍ନିକାଣ୍ଡ ଘଟିଲା ? ନିଆଁ ଲାଗିବା ପରେ କେମିତି ଏତେ ସଂଖ୍ୟାରେ ଜୀବନ ଗଲା ତାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଏ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ଏସସିବି ମେଡିକାଲ ଟ୍ରମା କେୟାର୍ ଆଇସିୟୁରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅନ୍ୟ ରୋଗୀମାନଙ୍କୁ ତୁରନ୍ତ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଚିକିତ୍ସା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚିକିତ୍ସିତ ହେଉଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟି ଆଶ୍ଵାସନା ଦେଇଛନ୍ତି । ଆଇସିୟୁରୁ ସ୍ଥାନାନ୍ତରିତ ହୋଇଥିବା ଅନ୍ୟ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗ ତଥା ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଜ୍ୟର ସମସ୍ତ ହସ୍ପିଟାଲ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବଜେଟ୍ ରେ ମଧ୍ଯ ଏଥିପାଇଁ ୩୨୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଥିଲା । ହସ୍ପିଟାଲ ଗୁଡିକରେ ଅଗ୍ନି ନିର୍ବାପକ କାମ ଜାରି ରହିଛି। ଏଥିପାଇଁ ଆଗାମୀ ବଜେଟ୍ ରେ ମଧ୍ଯ ୪୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଏସସିବି ମେଡିକାଲ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରି ତୁରନ୍ତ Fire Compliant କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



