
ବ୍ରହ୍ମପୁର: ବ୍ରହ୍ମପୁର ସହରର ଜଣେ ପୁଲିସ କନଷ୍ଟେବଳ ଶୁକ୍ରବାର ସନ୍ଧ୍ୟାରେ ଆତ୍ମହୂତି ଉଦ୍ୟମ କରିଛନ୍ତି। ସେ ହେଲେ ବିଜିପୁର ପୁଲିସ କଲୋନୀର ଆଶୁତୋଷ ମୃଦଙ୍ଗିଆ(୪୨)। ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାରୁ ତାଙ୍କ ପିଠି ସମେତ ଅନ୍ୟାନ୍ୟ ସ୍ଥାନ ପୋଡି ଯାଇଛି। ଗୁୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାପ୍ରକାରେ, ଆଶୁତୋଷ ଓ ତାଙ୍କ କନଷ୍ଟେବଳ ପତ୍ନୀ ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ପୁଲିସ କ୍ୱାଟରରେ ରହୁଛନ୍ତି। ତେବେ ଆଶୁତୋଷ ନିଜ କନଷ୍ଟେବଳ ପତ୍ନୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ପରେ ମହିଳା ଥାନା ପୁଲିସ ଆଜକୁ ମାସେ ତଳେ ତାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ଯାହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ଆଜି ସନ୍ଧ୍ୟାରେ ଆଶୁତୋଷ କ୍ବାଟରରେ ଥିବା ବେଳେ ମାନସିକ ଭାରସାମ୍ୟ ହରାଇ ନିଜ ଶରୀରରେ ପୋଟ୍ରାଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ଜଳୁଥିବା ଅବସ୍ଥାରେ ସିଡିରେ ତଳକୁ ଓହ୍ଲାଇ ନିଜ ଜୀବନ ବଞ୍ଚାଇବା ପାଇଁ ନିକଟରେ ରହୁଥିବା ଜଣେ ପୁଲିସ ହାବିଲଦାରଙ୍କ ଘରେ ପଶି ଯାଇଥିଲେ। ଏହାଯୋଗୁ ସଂପୃକ୍ତ ହାବିଲଦାରଙ୍କ ଘରର ଆସବାବପତ୍ର ପୋଡ଼ିଯାଇଛି । କ୍ବାଟରରେ ରହୁଥିବା ଅନ୍ୟ ପୁଲିସ କର୍ମଚାରୀ ଆଶୁତୋଷଙ୍କୁ ଉଦ୍ଧାର କରି ଶରୀରରୁ ନିଆଁ ଲିଭାଇବା ପରେ ସଙ୍କଟାପନ୍ନ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି । ଟାଉନ୍ ଥାନା ପୁଲିସ ଓ ଟ୍ରାଫିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।


