
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୫ଟି ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ମିଳିଛି । ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ବ ଗୋଟିଏ, ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ଗୃହ ଓ ସହର ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହର ୨.୦ ଯୋଜନାର କାର୍ଯ୍ୟକାରୀ ପାଇଁ ପରିଚାଳନା ନିର୍ଦ୍ଦେଶିକା ଜାରି ହୋଇଛି । PMAY – U ୨.୦ ର ପରିଚାଳନା ନିର୍ଦ୍ଦେଶିକାର ଧାରା ୧୪.୨ ଅନୁଯାୟୀ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ପ୍ରଥମ ପର୍ଯ୍ୟାୟର ସହରୀୟ ସଂସ୍କାରକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ ହେବ । ଏହି ସଂସ୍କାରମାନଙ୍କ ମଧ୍ୟରୁ ଗୃହ ନିବନ୍ଧନ ସମୟରେ ୬୦ ବର୍ଗ ମିଟର ପର୍ଯ୍ୟନ୍ତ ଆବାସ ପାଇଁ ଷ୍ଟାମ୍ପ ଶୁଳ୍କ ଓ ନିବନ୍ଧନ ଶୁଳ୍କକୁ ୧% ରୁ କମ କରିବା ଏକ ମୁଖ୍ୟ ସଂସ୍କାର ଅଟେ । ବର୍ତ୍ତମାନ ଓଡିଶାରେ ଘର କ୍ରୟ ସମୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କ ଓ ନିବନ୍ଧନ ଶୁଳ୍କ ମାଲିକଙ୍କ ଲିଙ୍ଗ ଅନୁଯାୟୀ ୬% ରୁ ୭% ପର୍ଯ୍ୟନ୍ତ ରହିଛି । କିନ୍ତୁ କେନ୍ଦ୍ର ସରକାରଙ୍କ ପରାମର୍ଶିତ ସଂସ୍କାରମାନଙ୍କ ସହ ସମନ୍ଵୟ ରଖି ଅର୍ଥନୈତିକ ଦୁର୍ବଳ ବର୍ଗ ବା EWS ଉପଭୋକ୍ତାଙ୍କ ପାଇଁ ଶସ୍ତା ଆବାସ ଉପରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କ ଓ ନିବନ୍ଧନ ଶୁଳ୍କକୁ ୧% ରୁ କମ୍ କରି ୦.୬% ରୁ ୦.୭% ପର୍ଯ୍ୟନ୍ତ ହୋଇଛି ।


