ଖରାଦିନରେ ନିଅନ୍ତୁ ନିଜର ଯତ୍ନ

ରାଜ୍ୟରେ ଖରା ଓ ଗୁଳୁଗୁଳିର ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେପରି ତତଲା କଡେ଼ଇରେ ସନ୍ତୁଳି ହେଉଛି ଜନଜୀବନ । ପଶୁପକ୍ଷୀଙ୍କ ଠାରୁ ନେଇ ଗଛଲତା ଓ ମଣିଷ ସବୁଠି ହାହାକାର । ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ତେଣୁ ଗ୍ରୀଷ୍ମଋତୁରେ ଆମେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହେବା ଦରକାର। ଏହି ସମୟରେ ଅଂଶୁଘାତର ଆଶଙ୍କା ରହିଛି। ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ଏକ ପ୍ରକ୍ରିୟା। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ କେତେକ କୃତ୍ରିମ କାରଣ ହେତୁ ଗ୍ରୀଷ୍ମଦିନେ ଜଳବାୟୁରେ ତାପମାତ୍ରା ପ୍ରବଳରୁ ଅତିପ୍ରବଳ ବୃଦ୍ଧି ପାଉଛି। ଏଥିଯୋଗୁ ବୃକ୍ଷଲତା, ଜୀବଜଗତ ଓ ମନୁଷ୍ୟମାନଙ୍କ ପାଇଁ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି ହେଉଛି।

ସୂର୍ଯ୍ୟକିରଣ ବ୍ୟତୀତ ଜଙ୍ଗଲରେ ଅଗ୍ନିକାଣ୍ଡ, ବହୁଳ ପରିମାଣରେ ଇଟାଭାଟିରେ ଅଗ୍ନି ସଂଯୋଗ, ବିଭିନ୍ନ କଳକାରଖାନାରୁ ନିର୍ଗତ ଗରମ ବାଷ୍ପ, ଜଙ୍ଗଲକୁ କାଟି ସଫା କରିବା, ବହୁଳ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ, ସିମେଣ୍ଟ ଦ୍ୱାରା ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ, ବୃକ୍ଷର ପରିମାଣ ଦିନକୁ ଦିନ ହ୍ରାସ ପାଇବା ଆଦି କାରଣ ଯୋଗୁ ବାୟୁମଣ୍ଡଳ ତାପମାତ୍ରା ପ୍ରାୟ ଏବେ ଦ୍ୱିଗୁଣିତ ହୋଇଯାଉଛି। ବାୟୁମଣ୍ଡଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେଲେ ଏହି ଉତ୍ତାପ ହ୍ରାସ ପାଇବାରେ ବିଳମ୍ବ ହୋଇଥାଏ।

ପ୍ରାକୃତିକ ଉପାୟରେ ଗ୍ରୀଷ୍ମତାପର ପ୍ରତିରୋଧ: ଭାରତୀୟ ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ଗ୍ରୀଷ୍ମଋତୁରେ ପ୍ରବଳ ତାପମାତ୍ରାକୁ ପ୍ରତିରୋଧ ନିମନ୍ତେ କେତେକ ପ୍ରାକୃତିକ ପଦ୍ଧତି ବର୍ଣ୍ଣନା କରାଯାଇଅଛି। ଖରାଦିନେ ପ୍ରବଳ ଉତ୍ତାପ ଅନୁଭୂତ ହେଉଥିବା ସମୟରେ ଯାତାୟାତ ନ କରିବା, ବୃକ୍ଷର ଛାଇରେ ବିଶ୍ରାମ ନେବା ବ୍ୟତୀତ ଜରୁରୀ କିମ୍ବା ନିହାତି ଦରକାର ପଡ଼ିଲେ ହିଁ ପଦାକୁ ବାହାରନ୍ତୁ। ଏହି ସମୟରେ ସୂତାରେ ତିଆରି ପୋଷାକ, ଧଳା ଟୋପି ସହ କଳା ଚଷମା ପିନ୍ଧନ୍ତୁ ଏବଂ ଛତା ଧରି ଯାତାୟାତ କରିବା ଉଚିତ।

ବାସଗୃହରେ ଝରକା ଓ ଦୁଆରବନ୍ଧରେ ସୂତାନିର୍ମିତ ବହଳିଆ କପଡ଼ା କିମ୍ବା ବେଣା ଘାସର ଚେରରେ ତିଆରି ପଟି ଟାଙ୍ଗିବା ଦ୍ୱାରା ଶୀତଳ ପବନ ମିଳିଥାଏ। ଏହାସହ ଗ୍ରୀଷ୍ମଋତୁରେ ମାଟିପାତ୍ରରେ ପାଣି ରଖି ପାନୀୟ ରୂପେ ବ୍ୟବହାର କରନ୍ତୁ। ପଇଡ଼ ପାଣି, ଆଖୁରସ ଆଦି ପିଅନ୍ତୁ। ପଖାଳ ଭାତ, ଦହି, ଲେମ୍ବୁପାଣି ବ୍ୟତୀତ ନିରାମିଷ ଖାଦ୍ୟ ଖାଆନ୍ତୁ। ଅଧିକ ମାତ୍ରାରେ ଜଳୀୟଅଂଶ ଥିବା ରଙ୍ଗ ତରଭୁଜ, କାକୁଡ଼ି, ଲସି, ଅଙ୍ଗୁର, କମଳା ଆଦି ଜୁସ୍‌କୁ ପାନୀୟ ରୂପେ ସେବନ କରନ୍ତୁ। ଏହା ପେଟକୁ ଥଣ୍ଡା ରଖିବା ସହ ଶାନ୍ତିଦାୟକ ଓ ସ୍ବାସ୍ଥ୍ୟ ହିତକାରୀ ହୋଇଥାଏ।

ଅଂଶୁଘାତ: ଆମ ଶରୀର ବର୍ଷା, ଖରା ଓ ଶୀତର ପ୍ରଭାବକୁ ଖାପ ଖୁଆଇ ଚଳିବା ସହ ଆମ ଶରୀରରେ ତାପମାତ୍ରା ହ୍ରାସ ଓ ବୃଦ୍ଧି ପାଇବାକୁ ସନ୍ତୁଳିତ ରଖିବା ପାଇଁ ଆମ ଶରୀରର ମସ୍ତିଷ୍କରେ ‘ହାଇପୋଥାଲାମସ’ ନାମକ ଏକ ଗ୍ରନ୍ଥି ରହିଛି। ଶରୀରରେ ଯେତେବେଳେ ଉକ୍ତ ସନ୍ତୁଳିତ ପ୍ରକ୍ରିୟା ହୋଇପାରି ନ ଥାଏ ବା ନିୟନ୍ତ୍ରଣ ପ୍ରକ୍ରିୟା ଶରୀରରେ ଠିକ୍‌ ଭାବେ ହୋଇପାରି ନ ଥାଏ ସେତେବେଳେ ମନୁଷ୍ୟ ସୌରତାପ ସହ୍ୟ କରି ନ ପାରି ‘ଅଂଶୁଘାତ’ର ଶିକାର ହୋଇଥାଏ। ଜଳବାୟୁରେ ତାପମାତ୍ରା ଅଧିକ ଥିବା ସମୟରେ ମନୁଷ୍ୟ ଯାତାୟାତ କରିବା ଦ୍ୱାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ଅସନ୍ତୁଳିତ ଅବସ୍ଥା ସୃଷ୍ଟି ହୋଇଥାଏ। ବେଳେବେଳେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଦ୍ୱାରା ମନୁଷ୍ୟ ଚେତାଶୂନ୍ୟ ହେବା ସହ ଶରୀରରେ ବାତ ମାରିବା ପରି ଲକ୍ଷଣ ଦେଖାଯାଏ। ଶରୀରର ବାହ୍ୟଚର୍ମ ଉତ୍ତାପଯୁକ୍ତ ଓ ଶୁଷ୍କ ହେବାସହ ଶରୀରରୁ ବେଳେ ବେଳେ ଝାଳ ନିର୍ଗତ ହୁଏ। ଦୁର୍ବଳ ଲାଗିବା, ବାନ୍ତି ଲାଗିବା, ମୁଣ୍ଡ ଘୂରାଇବା ଆଦି ଲକ୍ଷଣ ଦେଖାଯାଏ।

ଏହି ସମୟରେ ରୋଗୀଙ୍କୁ ତତ୍‌କ୍ଷଣାତ୍‌ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ଉଚିତ ନଚେତ ରୋଗୀ ମୁତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ଚିକିତ୍ସା ଶାସ୍ତ୍ର ମତାନୁସାରେ ଛୋଟ ପିଲାମାନଙ୍କ ଶରୀରରେ ହାରାହାରି ତାପମାତ୍ରା ୯୭.୯ ଡିଗ୍ରୀ ଫାରେନହାଇଟରୁ ୯୯ ଡିଗ୍ରୀ ଫାରେନହାଇଟ(୩୭.୨ଡିଗ୍ରୀ ସେଲ୍‌ସିୟସ) ଏବଂ ପ୍ରାପ୍ତବୟସ୍କ (୬୫ ବର୍ଷରୁ ଅଧିକ) ଲୋକଙ୍କଠାରେ ହାରାହାରି ତାପମାତ୍ରା ୯୮.୭ ଡିଗ୍ରୀ ଫାରେନାଇଟ ରହିବା ଉଚିତ। ଜଳବାୟୁର ପରିବର୍ତ୍ତନ ହେତୁ ତାପମାତ୍ରା ବୃଦ୍ଧି ପାଇବା ସହ ଶରୀରରେ ସ୍ବାଭାବିକ ସ୍ଥିତି ବିଗିଡ଼ି ଯାଇଥାଏ। ଏଥିଯୋଗୁ ନିମ୍ନ ରକ୍ତଚାପ, ଶ୍ୱାସକ୍ରିୟାରେ ପ୍ରଖରତା, ନାଡ଼ିର ଗତି ବୃଦ୍ଧି ପାଇବା, ପରିସ୍ରାର ପରିମାଣ କମି ହଳଦିଆ ବର୍ଣ୍ଣ ହୋଇଥାଏ। ଏହାବ୍ୟତୀତ ମାଂସପେଶୀ ଅକୁଞ୍ଚନ ହେବା ସହ ଯନ୍ତ୍ରଣା ଅନୁଭବ ହେବା, ମୁଣ୍ଡ ବିନ୍ଧିବା ସହ ଦୁର୍ବଳ ଲାଗିଥାଏ। ଏହି ସମୟରେ ରୋଗୀକୁ ତୁରନ୍ତ ନିକଟସ୍ଥ ଚିକିତ୍ସାକେନ୍ଦ୍ରକୁ ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଦରକାର।

ସାଧାରଣତଃ ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି, ମଧୁମେହ, ଯକ୍ଷ୍ମାରେ ସଂକ୍ରମିତ ରୋଗୀ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା ବୃଦ୍ଧାବୃଦ୍ଧ, ଗର୍ଭବତୀ, ଖରାରେ ଅଧିକ ସମୟ ରହି କାର୍ଯ୍ୟ କରୁଥିବା ବ୍ୟକ୍ତି, ଅଧିକ ମୋଟା ବ୍ୟକ୍ତି, ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଗ୍ରୀଷ୍ମଋତୁରେ ଅଧିକ ସତର୍କତା ଅଲମ୍ବନ କରିବା ନିହାତି ଜରୁରୀ।

  • Related Posts

    ଖାଇବା ସମୟରେ ଏହି ଲକ୍ଷଣ ଦେଇଥାଏ କ୍ୟାନ୍ସରର ସଙ୍କେତ

    ଅନେକ ପ୍ରକାର କ୍ୟାନ୍ସରରେ ପ୍ରାରମ୍ଭିକ ପର୍ୟ୍ୟାୟରେ କୌଣସି ଗମ୍ଭୀର ଲକ୍ଷଣ ନଜର ଆସିନଥାଏ । କିନ୍ତୁ ଏମିତି କିଛି ସଙ୍କେତ ରହିଛି ଯେଉଁଥିରୁ କ୍ୟାନ୍ସର ହୋଇଛି ବୋଲି ଜାଣିହେବ ଏବଂ ସଠିକ୍ ସମୟରେ ଚିକିତ୍ସା କରିହେବ । ଯଦି ଆପଣ ଧ୍ୟାନ…

    Continue reading
    ଏହି ଆଠଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

    ଅନେକ ସମୟରେ ଆପଣ ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିବେ। ଯାହାକୁ ଆପଣ ଅଣଦେଖା କରିଥାଆନ୍ତି। ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇନଥାଆନ୍ତି, କିନ୍ତୁ ଏପରି କଲେ ଆପଣଙ୍କ ଯନ୍ତ୍ରଣା ଗୁରୁତର ହେବାର ଆଶଙ୍କା ରହିଛି। ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ