
ଦେବଗଡ଼:ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଆଗାମୀ ମୌସୁମୀ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରବଳ ବର୍ଷା ଜନିତ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ସମସ୍ତ ବିଭାଗ ସଜାଗ ରହିବା ସଙ୍ଗେ ସଙ୍ଗେ ଏଭଳି ପରିସ୍ଥିତିକୁ ସମ୍ମୁଖୀନ ହେବା ନିମନ୍ତେ ଯଥେଷ୍ଟ ପୂର୍ବରୁ ନିଜ ନିଜ ବିଭାଗର କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରି ରଖିବାକୁ ଜିଲ୍ଲାପାଳ ଶ୍ରୀ ସାହୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ ନିଜ ବିଭାଗର ପ୍ରସ୍ତୁତି ଉପରେ ସୂଚନା ପ୍ରଦାନ କରିଥିଲେ।ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ,କିରୋସିନି ଗଚ୍ଛିତ ରଖିବା ସହ କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକୀୟ ବିହନ,କୀଟନାଶକ ଔଷଧ ଏବଂ ସାର ମହଜୁଦ ରଖିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ।ବର୍ଷା ପୂର୍ବରୁ ଦୁର୍ବଳ ଥିବା ବନ୍ଧ ପୋଲ ଏବଂ ରାସ୍ତା ମରାମତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ସମେତ ସମସ୍ତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅତ୍ୟାବଶ୍ୟକୀୟ ଔଷଧ, ଓଆରଏସ ଏବଂ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ବତନ୍ତ୍ର କାର୍ଯ୍ୟରତ ଅଧିକାରୀ ଦେବବ୍ରତ କର ,ଏସପି କିଶୋର ଚନ୍ଦ୍ର ମୁଣ୍ଡ,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ଉପ ଜିଲ୍ଲପାଳ ପରୀକ୍ଷିତ ସାହୁ,ଏସିଏଫ୍ ଅରୁଣ ବେହେରା,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୁକେଶ ଭୋଇ ,ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥି,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ,ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ,ତିଲେଇବଣି ଆଇଟିଡିଏର ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝୀ, ଦେବଗଡ ତହସିଲଦାର କର୍ଣ୍ଣ ମଲ୍ଲିକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


