
ତେହେରାନ: ଇରାନର ସର୍ବୋଚ୍ଚ ଧର୍ମଗୁରୁ ମୋଜ୍ତାବା ଖାମେନେଇଙ୍କ ତରଫରୁ ବାଗେର ଜୋଲଘଦରଙ୍କୁ ଜାତୀୟ ନିରାପତ୍ତା ପରିଷଦର ମୁଖ୍ୟ ନିଯୁକ୍ତ କରାଯାଇଛି। ଗତ ସପ୍ତାହରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଅଲୀ ଲାରିଜାନିଙ୍କ ମୃତ୍ୟୁ ଘଟିବା ପରେ ଏହି ପଦ ଖାଲିପଡିଥିଲା। ଲାରିଜାନି ପରଲୋକଗତ ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖାମେନେଇଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ।
ଆମେରିକା ସହ ପରମାଣୁ କାର୍ୟ୍ୟକ୍ରମ ସମ୍ପର୍କିତ ଆଲୋଚନାରେ ଲାରିଜାନି ଇରାନକୁ ପ୍ରତିନିଧିତ୍ବ କରୁଥିଲେ। ଫେବୃଆରୀ ୨୮ରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଲାଗିବା ପରଠାରୁ ଲାରିଜାନି ଇରାନର ରଣନୀତିକୁ ମାର୍ଗଦର୍ଶନ ଦେଉଥିଲେ। ତେବେ ଗତ ସପ୍ତାହରେ ଲାରିଜାନି ଓ ତାଙ୍କ ପୁଅ ଏକ ପାରିବାରିକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାଣ ହରାଇଛନ୍ତି।




