
କଟକ: ପୌର ନିର୍ବାହୀ ଅଧିକାରୀଙ୍କ ଗାଡି ଧକ୍କାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ ! କଟକ ନେତାଜୀ ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ। ଧକ୍କା ଦେଇଥିବା ସ୍କର୍ପିଓ ଗାଡ଼ିଟି ଢେଙ୍କାନାଳ ପୌର ପାଳିକା ନିର୍ବାହୀ ଅଧିକାରୀଙ୍କର ବୋଲି ଜଣା ପଡିଛି । ଗାଡି ଧକ୍କାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ପ୍ରଦୀପ ପରିଡ଼ା(44 ବର୍ଷ )। ବୁଧବାର ରାତିରେ ସ୍କର୍ପିଓ ଚାଳକ ଅତି ବେଫରୁଆ ଭାବେ ଗାଡି ଚଳାଇ ରାସ୍ତାରେ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ପ୍ରଦୀପ ରାସ୍ତାରେ ଚାଲି କରି ଯାଉଥିବା ବେଳେ ତାଙ୍କୁ ପଛ ପଟରୁ ଗାଡି ଧକ୍କା ଦେଇଥିବା ଜଣା ପଡିଛି । ଏହାପରେ ଗୁରୁତର ଅବସ୍ଥାରେ ନିଜେ ନିର୍ବାହୀ ଅଧିକାରୀ ପ୍ରଦୀପଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ପ୍ରଦୀପଙ୍କୁ ଏସସିବିରେ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଦୀପଙ୍କୁ ଗାଡ଼ିରେ ନେଇ ଯିବା ସମୟରେ କିଭଳି ଦୁର୍ଘଟଣାରୁ ରକ୍ଷା ପାଇବେ, ସେଥିପାଇଁ କାହାର ପରାମର୍ଶ ନିର୍ବାହୀ ଅଧିକାରୀ ନେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।
ଏନେଇ ସ୍ଥାନୀୟ ଥାନା ମଧୁପାଟଣା ଥାନାରେ ଦୁର୍ଘଟଣା ଜନିତ ଏକ ମାମଲା ରୁଜୁ ହୋଇଛି। ଥାନାଧିକରୀ ଚିତ୍ତ ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ‘କିଏ ଗାଡି ଚଳାଉଥିଲେ ତାହାର ତଦନ୍ତ କରାଯାଉଛି। ମାତ୍ର ଡ୍ରାଇଭର ଜଣକ ଦୁର୍ଘଟଣା କରିବା ପରେ ଫେରାର ହୋଇଯାଇଥିବା ବେଳେ, ଗାଡିର ମାଲିକ ଦୁର୍ଘଟଣା ପରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ଧରି ମେଡିକାଲ ନେଇଥିବା ଜଣା ପଡିଛି। ଉକ୍ତ ବ୍ୟକ୍ତିଙ୍କର ପଛ ପଟୁ ଗାଡି ଧକା ଦେଇଥିଲା। ଗାଡିକୁ ଯବତ କରିବା ସହ ଏନେଇ ତଦନ୍ତ କରାଯାଉଛି। ତଦନ୍ତ ପରେ ସବୁ କଥା ଜଣା ପଡିବ। ମାତ୍ର ବ୍ୟକ୍ତିଙ୍କର ମୃତୁ ପରେ ଶବ ବ୍ୟବଚ୍ଛଦ କରାଯାଇଛି। ଆଇନ ଅନୁସାରେ ମୃତ ବ୍ୟକ୍ତି ପରିବାରକୁ କ୍ଷତି ପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି’ ବୋଲି ଥାନାଧିକାରୀ କହିଛନ୍ତି।





