
ଢେଙ୍କାନାଳ: ଢେଙ୍କାନାଳରେ ପୋଲିସର ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାକୁ ଏନକାଉଣ୍ଟର କରିଛି ପୋଲିସ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ସାଉଁଳିଆ ଜଙ୍ଗଲରେ ପୋଲିସ ଏହି କୁଖ୍ୟାତ ଅପରାଧୀକୁ ଗୁଳି କରିଛି । ହୁଣ୍ଡର ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି।
ଆଜି ଭୋର ପ୍ରାୟ ସାଢ଼େ ୪ଟା ସମୟରେ ଏହି ଏନକାଉଣ୍ଟର କରାଯାଇଛି। ହୁଣ୍ଡ “କିଙ୍ଗ ଅଫ ଫରେଷ୍ଟ” ଗ୍ୟାଙ୍ଗର ସଦସ୍ୟ ଓ କାମାକ୍ଷାନଗର ଅଞ୍ଚଳର କୁଖ୍ୟାତ ଅପରାଧୀ ରାକେଶ ନାଥର ପ୍ରମୁଖ ସହଯୋଗୀ । ଠିକାଦାର ମାନଙ୍କୁ ବୋମା ଓ ଗୁଳିମାଡ଼ ମାଧ୍ୟମରେ ଭୟଭୀତ କରାଇ ବଟି ଆଦାୟ, ଡକାୟତି, ରାହାଜାନୀ, ଗୁଳିକାଣ୍ଡ, ହତ୍ୟା ଓ ଅପହରଣ ଆଦି ବିଭିନ୍ନ ଥାନାରେ ହୁଣ୍ଡ ନାମରେ ରହିଛି ୧୮ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା । ଏପରିକି ବିଭିନ୍ନ ଅପରାଧିକ ମାମଲାରେ ପୋଲିସର ସ୍କାନରେ ରହିଥିଲା ହୁଣ୍ଡ ।ସଦର ଥାନା ଅନ୍ତର୍ଗତ କାଙ୍କଡ଼ ପାଳ ଅଞ୍ଚଳରେ ହୁଣ୍ଡ ତାର ସହଯୋଗୀ ଲିପନ ସମେତ ଅନ୍ୟ ସହଯୋଗୀଙ୍କୁ ନେଇ ଗତ ବିଳମ୍ବିତ ରାତିରେ ଏକ ହତ୍ୟା ଯୋଜନା କରୁଥିଲା। ଏନେଇ ଖବର ପାଇ ସଦର ପୋଲିସ ଚଢ଼ାଉ କରିଥିଲା । ମାତ୍ର ଖସି ପଳାଇବା ବେଳେ ଉଭୟ ସଦର ଓ ଟାଉନ ପୋଲିସ ତାକୁ ଗୋଡ଼ାଇଥିଲେ । ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳରେ ପୋଲିସ ସହିତ ମୁହାଁ ମୁହିଁ ହୋଇଥିଲା ହୁଣ୍ଡ । ଫଳରେ ପୋଲିସ ହୁଣ୍ଡକୁ ଗୁଳି କରିଥିଲା । ମାତ୍ର ହୁଣ୍ଡ ସହିତ ଥିବା ଅନ୍ୟ ଅପରାଧୀ ବାଇକରେ ଖସି ପଳାଇଥିବା ପୋଲିସ ସୂଚନାରୁ ଜଣାପଡିଛି। ଏହି ଘଟଣା ପରେ ପୂର୍ବାହ୍ନରେ ପୋଲିସ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ବମ୍ ସ୍କ୍ୱାର୍ଡ ମାଧ୍ୟମରେ ଯାଞ୍ଚ କରିଛି । ଘଟଣା ସ୍ଥଳରୁ ହୁଣ୍ଡର ପିସ୍ତଲ ଓ ଏକ ଫୁଟନ୍ତା ଗୁଳିର ଖୋକା ଜବତ କରି ପୋଲିସ ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି।




