
ତିହାର ଜେଲ୍ ଗଲେ କକ୍ରୋଚ ଜନତା ପାର୍ଟି (CJP) ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ଶାନ୍ତି ମୁଚାଲିକାର ଅବମାନନା ଓ ଧାର୍ଯ୍ୟ ବିକ୍ଷୋଭସ୍ଥଳ ମାନ୍ୟତାରୁ ବାଦ୍ ପଡ଼ିଥିବା ଯନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରି ଜେଲ୍କୁ ପଠାଯାଇଛି।
ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ଶିନ୍ଦେଙ୍କୁ ବିଧବାର ସ୍ୱତନ୍ତ୍ର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଇଥିଲା। ବାରମ୍ବାର ଆଇନ ଭଙ୍ଗ କରିବା ଯୋଗୁ ଓ ପୁନର୍ବାର ଶାନ୍ତି ଭଙ୍ଗ କରିବା ଅବା ଅନ୍ୟମାନଙ୍କୁ ଉସକାଇବାର ଆଶଙ୍କା ଥିବାରୁ ତାଙ୍କୁ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ସେମାନଙ୍କ ସହଯୋଗୀ ଅଜିଙ୍କ୍ୟ ଶିନ୍ଦେଙ୍କୁ ଛାଡ଼ି ଦିଆଯାଇଛି। ସେ ଏକ ଶାନ୍ତି ମୁଚାଲିକାରେ ଦସ୍ତଖତ କରିବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ପୁଲିସ ଏହି ତିନି ଜଣଙ୍କ ନାଁରେ ଅନଧିକାର ପ୍ରବେଶ, ନିଷେଧାଦେଶ ଅମାନ୍ୟ, ଶାନ୍ତି ମୁଚଲିକା ଭଙ୍ଗ ଓ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗରେ ମାମଲା ରୁଜୁ କରିଛି।
ପୁଲିସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଥିଲା ଯେ ଘଟଣାସ୍ଥଳରେ ମୁତୟନ ହୋଇଥିବା କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ସଂପାଦନ କରିବାରେ ବାଧା ସୃଷ୍ଟି କରିବା ଯୋଗୁ ୧୪ ଜଣଙ୍କୁ ଅଟକ ରଖାଯାଇଥିଲା ଓ ସେମାନଙ୍କ ନାଁରେ ସଂସଦ ମାର୍ଗ ଥାନାରେ ଏଫଆଇଆର ରୁଜୁ କରାଯାଇଥିଲା। ଅଟକ ଅଭିଯୁକ୍ତମାନଙ୍କୁ ପରବର୍ତ୍ତୀ ସମୟରେ ଆଇନ ଅନୁଯାୟୀ ସେମାନଙ୍କ ନାଁରେ ରହିଥିବା ମାମଲା ଆଧାରରେ ଗିରଫ କରାଯାଇଥିଲା।
ସୌରଭ ଦାସ ଓ ଆଶୁତୋଷ ରାଙ୍କା ଗିରଫ ହୋଇ ତିହାର ଜେଲ୍ ଯିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଆଶୁ ଓ ସୌରଭଙ୍କୁ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କର ଦୋଷ କ’ଣ? ସେମାନେ ଯନ୍ତରମନ୍ତରରେ ତ୍ରିରଙ୍ଗା ଉଡ଼ାଇଥିଲେ। କିଛି ସାହସ ଦେଖାନ୍ତୁ ନରେନ୍ଦ୍ର ମୋଦି। ଯଦି ଆପଣ ଭିନ୍ନମତ ପୋଷଣ କରୁଥିବା ସ୍ୱରକୁ ମାଟିରେ ମିଶାଇ ଦେବାକୁ ସଂକଳ୍ପବଦ୍ଧ, ତା’ହେଲେ ଏଭଳି କାପୁରୁଷୋଚିତ କୌଶଳର ଆଶ୍ରୟ ନନେଇ ଆନୁଷ୍ଠାନିକ ଭାବେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର ସାହସ ରଖନ୍ତୁ।
ସୂଚନାଯୋଗ୍ୟ, ଗତ ଶନିବାର ଯନ୍ତରମନ୍ତରରେ ବିକ୍ଷୋଭ କରିବାକୁ ଯାଉଥିବା ବେଳେ ପୁଲିସ୍ ଦ୍ୱାରା ଅଟକ ହୋଇଥିବା ସୌରଭ ଦାସ ଓ ଆଶୁତୋଷ ରାଙ୍କା ବର୍ଷେ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବେ ବୋଲି ମୁଚାଲିକାରେ ଦସ୍ତଖତ କରିଥିଲେ। ଏହା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। କିନ୍ତୁ ଗତକାଲି ସେମାନେ ପୁଣି ଥରେ କିଛି ସମର୍ଥକଙ୍କ ସହିତ ଯନ୍ତରମନ୍ତରରେ ପ୍ରବେଶ କରି ନାରାବାଜି କରିଥିଲେ। ଏହା ପରେ ପୁଲିସ୍ ସେମାନଙ୍କୁ ଉଠାଇ ନେଇଥିଲା।








