ଦଳ ସହ ଧୋକା କରିବାର ଅର୍ଥ ମା’ଙ୍କୁ ଛାଡ଼ିବା: ମମତା

ନୂଆଦିଲ୍ଲୀ:ନିର୍ବାଚନ ପରାଜୟ ପରେ ବିଦ୍ରୋହ ଘୋଷଣା କରିଥିବା ଟିଏମସିର ବିଧାୟକ, ସାଂସଦ ଓ କାଉନସିଲରମାନଙ୍କ ଉପରେ ବର୍ଷିଛନ୍ତି ଦଳର ସୁପ୍ରିମୋ ମମତା ବାନାର୍ଜୀ। ସେ ଦଳ ସହ ଧୋକା କରିଥିବା ନେତାଙ୍କୁ ରୋଗିଣା ମା’ଙ୍କୁ ଛାଡ଼ି ଦେଉଥିବା ଲୋକଙ୍କ ସହ ତୁଳନା କରିଛନ୍ତି।ଉତ୍ତର କୋଲକାତାର ଟିଏମସି ବୈଠକକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଥିବା ମମତା ନିଜ ଭାଷଣ ମାଧ୍ୟମରେ ଦଳୀୟ କର୍ମୀ ଓ କ୍ୟାଡରମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ନିୟମିତ ଦମନଲୀଳା ବିରୋଧରେ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।

ବିଧାନସଭା ନିର୍ବାଚନ ପରେ ଦଳ ଛାଡ଼ିଥିବା ବିଦ୍ରୋହୀଙ୍କ ଉଦ୍ଦେଶ୍ୟରେ ମମତା କହିଛନ୍ତି ଯେ “ଏହା ଏମିତି ଜଣେ ମା’ଙ୍କ ପରି, ଯିଏ ସାରା ଜୀବନ ଆପଣଙ୍କୁ ଲାଳନ-ପାଳନ କରିଛନ୍ତି, କିନ୍ତୁ ସେ ଅସୁସ୍ଥ ହେଲା ବେଳେ ଆପଣ ତାଙ୍କର ଯତ୍ନ ବା ସେବା କରିବାକୁ ମନା କରି ଛାଡ଼ି ଦିଅନ୍ତି। ବିଶ୍ୱାସଘାତକମାନଙ୍କ ପାଇଁ କୌଣସି କ୍ଷମା ନାହିଁ। ସେମାନେ ଆଜି ହୁଏତ ନିଜକୁ ବଞ୍ଚାଇ ପାରନ୍ତି। କିନ୍ତୁ ଭବିଷ୍ୟତରେ ଜନସାଧାରଣ ସେମାନଙ୍କ ଠାରୁ ହିସାବ ମାଗିବେ। କର୍ମୀମାନେ ମଧ୍ୟ ସେମାନଙ୍କୁ ପ୍ରଶ୍ନ କରିବେ।”

କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, “ସ୍ୱର ଚାପି ଦେବାକୁ ନିୟମିତ ଉଦ୍ୟମ ଚାଲିଛି ଓ ମାମଲା ପରେ ମାମଲା ହେଉଛି। ଲୋକମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଛି। ଅନେକ ଲୋକ ଭୟଭୀତ ହୋଇ ରହିଛନ୍ତି। ହକରମାନଙ୍କ ଷ୍ଟଲଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଅନେକ ଲୋକ ଜୀବିକା ହରାଇଛନ୍ତି। ଅନେକ ଲୋକ ନିଜ ସ୍ୱପ୍ନ ଧ୍ୱଂସ ହେଉଥିବା ଦେଖି ବିଚଳିତ ହେବାରେ ଲାଗିଛନ୍ତି।”

ଗୋଟିଏ ଏକତ୍ରୀତ ଟିଏମସି ହିଁ ଏହି ସଙ୍କଟ ସମୟରେ ରକ୍ଷା କବଚ ସାଜି ପାରିବ ବୋଲି ମମତା ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “ଏହି ସଙ୍କଟ ବିଜେପି ସୃଷ୍ଟି କରିଛି, ଆମେ ନୁହେଁ। ଆମ କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଲଢ଼େଇ କରୁଛନ୍ତି। ବୁଥ୍‌ ସ୍ତରର କର୍ମୀ, ବିଏଲଓ ଓ ତୃଣମୂଳ ସ୍ତରର କର୍ମୀଙ୍କ ତ୍ୟାଗ ଓ ବଳିଦାନ ବଳରେ ହିଁ ଆଜି ଲଢ଼େଇ ସମ୍ଭବ ପର ହୋଇଛି।”

ମମତା ବାନାର୍ଜୀ ଦଳ ଛାଡ଼ିଥିବା ନେତାମାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କିଛି ଲୋକ କେବଳ ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ ପଟ ପରିବର୍ତ୍ତନ କରିଛନ୍ତି। ସେମାନଙ୍କ ପାଖରେ ଧୈର୍ଯ୍ୟ ନାହିଁ। ଆମକୁ ଛାଡ଼ି ସେହି ଦଳରେ ଯୋଗ ଦେଉଛନ୍ତି, ଯାହା ବିରୋଧରେ ଆମେ ସଂଗ୍ରାମ କରିଥିଲୁ। ସେମାନେ ସିଧାସଳଖ ବିଜେପିରେ ଯୋଗ ଦେଇଥିଲେ, ଆମର କୌଣସି ଆପତ୍ତି ନଥାନ୍ତା।

କିନ୍ତୁ ଦଳ ସହ ବିଶ୍ୱାସଘାତ କରିବା କେବେ ବି କ୍ଷମା ଯୋଗ୍ୟ ନୁହେଁ। କେହି କେହି କହୁଛନ୍ତି ସେମାନେ କର୍ମୀଙ୍କୁ ବଞ୍ଚାଇବା ପାଇଁ ଦଳ ଛାଡ଼ିଛନ୍ତି। କିନ୍ତୁ ସେମାନେ ନିଜ କ୍ଷେତ୍ର ବା ଅଞ୍ଚଳରେ ମଧ୍ୟ ପ୍ରବେଶ କରିପାରୁ ନାହାନ୍ତି। ସେମାନେ କର୍ମୀଙ୍କୁ ବଞ୍ଚାଉଛନ୍ତି ନା ନିଜ ଟଙ୍କାକୁ?

ସେମାନେ ଧର୍ମ, ସାମ୍ପ୍ରଦାୟିକ ସଦ୍‌ଭାବ ଓ ମୂଲ୍ୟବୋଧ ସବୁ କିଛି ବିକ୍ରି କରିଦେଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ଏବେ ବି ଭଲ ବୁଦ୍ଧି ଅଛି, ସେମାନେ ଫେରି ଆସନ୍ତୁ। ଆଉ ଯେଉଁମାନେ ଭାବୁଛନ୍ତି ଏହି ପରିସ୍ଥିତିରୁ ଖସି ପଳାଇଯିବେ, ସେମାନେ ଶେଷରେ କେଉଁଠି ବି ରହିପାରିବେ ନାହିଁ।”

  • Related Posts

    ପ୍ରସନ୍ନ-ଭୂପିନ୍ଦର ଭେଟଘାଟ

    ଭୁବନେଶ୍ୱର: ସୁଜତା କାର୍ତ୍ତିକେୟନ ବିଜୁ ଜନତା ଦଳରେ ମିଶିବା ପରେ ଏବେ ଦଳର ବରିଷ୍ଠ ନେତାଙ୍କ ମେଳି ଆରମ୍ଭ ହୋଇଯାଇଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଭୂପିନ୍ଦର ସିଂ ମଧ୍ୟରେ ଭେଟଘାଟ ହୋଇଛି । ଶ୍ରୀ ସିଂ ଶନିବାର…

    Continue reading
    ଲାଲଜୀ ଦେଶାଇ ହେଲେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ

    ନୂଆଦିଲ୍ଲୀ: ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଓଡ଼ିଶା ସମେତ ତିନୋଟି ରାଜ୍ୟ ପାଇଁ ନୂଆ ପ୍ରଭାରୀଙ୍କ ନିଯୁକ୍ତି ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି। ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂତନ ଏଆଇସିସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ