
ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଦେଶବାସୀ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ବନ୍ଦେ ମାତରମ୍ ଗାନ ସମୟରେ ବରିଷ୍ଠ ନେତ୍ରୀସୋନିଆ ଗାନ୍ଧୀ, କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖାଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜାତୀୟ ପ୍ରତୀକ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପରିବର୍ତ୍ତେ ଅନ୍ୟମନସ୍କ ଆଚରଣ, କଥାବାର୍ତ୍ତା ଓ ଇସାରା କରିବାରେ ଲିପ୍ତ ଥିଲେ । ଏକ ଜାତୀୟ ପ୍ରତୀକ ପ୍ରତି ଏଭଳି ଆଚରଣ ଓ ସମ୍ମାନ ପ୍ରଦର୍ଶନ ଭାରତୀୟ ନାଗରିକଙ୍କ ଜାତୀୟ ଭାବନାକୁ ଆଘାତ ଦେଇଛି । ଜାତୀୟ ଗୈାରବ ଓ ସମ୍ମାନ ରକ୍ଷା ପାଇଁ ଜାତୀୟ ଅବମାନନା ପ୍ରତିରୋଧ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା ଧାରା ଅଧିନରେ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡଗେ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଜି ଭୁବନେଶ୍ୱର ଖାରବେଳ ଥାନାରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଲିଖିତ ମାମଲା ରୁଜୁ କରିଛନ୍ତି ।
ଦେଶର ସ୍ୱାଧୀନତା ସଂଗ୍ରାମରେ ଜାତୀୟ ଗାନ “ବନ୍ଦେ ମାତରମ୍”ର ଐତିହାସିକ ଗୁରୁତ୍ୱ ରହିଛି । ଆଇନ ଅନୁଯାୟୀ ଜାତୀୟ ଗାନ ପ୍ରତି କୈାଣସି ପ୍ରକାରର ଅବମାନନା କିମ୍ବା ବାଧା ସୃଷ୍ଟି କରିବା କିମ୍ବା ଅସମ୍ମାନ ପ୍ରଦର୍ଶନ କରିବା ଏକ ଦଣ୍ଡନୀୟ ଅପରାଧ । ଆଇନ ଅନୁଯାୟୀ ଏହି ଦଣ୍ଡନୀୟ ଅପରାଧ ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରଶାନ୍ତ ପାଇକରାୟ, ରାଜ୍ୟ ସଂପାଦକ ସୈାଭାଗ୍ୟ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ସ୍ୱୟଂସେବକ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।




