
ଦେବଗଡ଼:ଜଙ୍ଗଲଜାତ ଦ୍ରବ୍ୟ ଖାଇବାକୁ ନପାଇ ସହର ମୁହାଁ ମାଙ୍କଡ।ସହରରେ ମାଙ୍କଡ ଉପଦ୍ରବ ଲୋକମାନଙ୍କୁ ଅତିଷ୍ଠ କରିଥିବାବେଳେ ମାଙ୍କଡ ଉପଦ୍ରବ ବର୍ତ୍ତମାନ ଚରମ ସୀମାରେ ପଂହଚିଛି।ଏପରିକି ବିଭିନ୍ନ ସମୟରେ ଜନସାଧାରଣ ଏବଂ ଛାତ୍ରଛାତ୍ରୀ ମାଙ୍କଡ ଆକ୍ରମଣରେ ଗୁରୁତର ଆହତ ହେଉଥିଲେ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା।ଏହାକୁ ରୋକିବା ସହ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଦେବଗଡ଼ ବନବିଭାଗ ପକ୍ଷରୁ ମାଙ୍କଡ ଧରା ଏକ ସ୍ୱତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି।ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ବିପଦସୃଷ୍ଟି କରୁଥିବା ୯ଟି ମାଙ୍କଡ଼ଙ୍କୁ ଧରାଯାଇ ପରବର୍ତ୍ତୀ ସମୟରେ ଜନବସତିଠାରୁ ଦୂର ଭିତର ଜଙ୍ଗଲରେ ଛଡ଼ାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଦେବଗଡ଼ ଡିଏଫଓ ରଶ୍ମି ଜୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନପାଟ ଜଳପ୍ରପାତ ଅଞ୍ଚଳରେ ଦେବଗଡ଼ ବନଖଣ୍ଡର ଜୀବବିଜ୍ଞାନୀ ସୁଧୀରାଜ ଲେଙ୍କା,ଆରଆରଟି ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ଧଳ,ଫରେଷ୍ଟଗାର୍ଡ ପୁଲିନ ବିହାରୀ ପ୍ରଧାନଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଉକ୍ତ ଅଭିଯାନରେ ସାମିଲ ହୋଇ ମାଙ୍କଡମାନଙ୍କ ଗତିବିଧି ଉପରେ ନଜର ରଖାଯାଇ ଜାଲ ସାହାଯ୍ୟରେ ସମସ୍ୟା ସୃଷ୍ଟି କରୁଥିବା ମାଙ୍କଡ଼ଙ୍କୁ ଧରାଯାଇଥିଲା। ଜାଲରେ ଧରାପଡିଥିବା ୯ଟି ମାଙ୍କଡ଼ଙ୍କ ମଧ୍ୟରେ ୨ଟି ଆଲ୍ଫା ପୁରୁଷ ମାଙ୍କଡ଼,୨ଟି ବୟସ୍କ ମାଈ ମାଙ୍କଡ଼ ଏବଂ ୫ଟି କମ୍ ବୟସର ମାଙ୍କଡ଼ ରହିଛନ୍ତି।ଏହାପରେ ଜାଲରେ ଧରାପଡିଥିବା ମାଙ୍କଡମାନଙ୍କୁ ଜନବସତିଠାରୁ ଦୂର ଭିତର ଜଙ୍ଗଲରେ ଛଡ଼ାଯାଇଛି। ସହରରେ ମଧ୍ୟରେ ମାଙ୍କଡ ଉପଦ୍ରବ ରୋକିବା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ଆଗକୁ ଜାରି ରହିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।







